ଏନ୍‌ଆଇଟି ରାଉରକେଲାର ୧୯ ତମ ସମାବର୍ତ୍ତନ ସମାରୋହ, ପ୍ରଥମ ଥର ମିଳିଲା ‘ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ ଡିଗ୍ରୀ’

ରାଉରକେଲା,ଏନ୍ଏନ୍ଏସ୍: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ରାଉରକେଲା ଇତିହାସରେ ପ୍ରଥମ ଥର ପାଇଁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ‘ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ ଡିଗ୍ରୀ’ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଆନୀତ ଜାତୀୟ ବ୍ଲକ୍ ଚେନ୍ ପ୍ରୋଜେକ୍ଟ ଅଧୀନରେ ଏବଂ ଆଇଆଇଟି କାନପୁରର ସି ୩ଆଇ ଇନୋଭେସନ୍ ହବ୍ ସହାୟତାରେ ଏହା ବିକଶିତ ହୋଇଛି । ଏଥିରେ ମୁଖଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ସେ କହିଥିଲେ, ଟେକ୍ନୋଲୋଜିକୁ ସର୍ବଦା ଆପଣେଇବା ଉଚିତ୍ । ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀ ବ୍ଲକ୍ ଚେନ ଜରିଆରେ ପ୍ରମାଣପତ୍ର ପାଇବା ଗୌରବର ବିଷୟ ।

ନିର୍ଦ୍ଦେଶକ ପ୍ର. କେ ଉମା ମହେଶ୍ୱର ରାଓ କହିଥିଲେ, ଏନ୍‌ଆଇଟି ରାଉରକେଲ।। ୧୨ଟି ବିଭାଗର ୧୪ଟି ବିଷୟରେ ବି.ଟେକ୍ ଡିଗ୍ରୀ ପ୍ରଦାନ କରୁଥିବା ଭାରତର ଏକ ଉଚ୍ଚମାନର ବୈଷୟିକ ଅନୁଷ୍ଠାନରେ ପରିଣତ ହୋଇଛି । ଏହାର ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା; ବିଭିନ୍ନ କ୍ଷେତ୍ରରେ ବିକାଶ ଯଥା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ପରିଚାଳନା, ସ୍ଥାପତ୍ୟ, ମାନବିକତା ଏବଂ ସାମାଜିକ ବିଜ୍ଞାନ ଇତ୍ୟାଦି ପାଇଁ ମାନ୍ୟତା ପାଇଛି । ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶରେ ଏନ୍‌ଆଇଟି ରାଉରକେଲା ପାରମ୍ପରିକ ଭାବରେ ଏକ ନେତୃତ୍ୱ ରୂପେ ପରିଚିତ । କ୍ୟାରିୟର ବିକାଶ କେନ୍ଦ୍ର ସ୍ନାତକ, ସ୍ନାତକୋତ୍ତର ଏବଂ ଡକ୍ଟରେଟମାନଙ୍କୁ ଦେଶ-ବିଦେଶରେ ଗୁଣାତ୍ମକ ଆସନରେ ସ୍ଥାନିତ କରିବା ପାଇଁ ଅନେକ ସଂଗଠନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିଆସୁଛି ।

୨୦୨୧-୨୨ ଶିକ୍ଷାବର୍ଷରେ, ଛାତ୍ରମାନଙ୍କୁ ୧୨୯୦ ପୂର୍ଣ୍ଣକାଳୀନ ନିଯୁକ୍ତି ଅଫର ପ୍ରଦାନ କରାଯାଇଛି । ପୂର୍ବବର୍ଷ ତୁଳନାରେ ଏହା ଯଥେଷ୍ଟ ଅଧିକ । ସମ୍ମାନିତ ଅତିଥି ସାଂସଦ ଜୁଏଲ୍ ଓରାମ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ବୈଷୟିକ ଡିଗ୍ରୀ ପାଇଥିବାରୁ ଏହା ଅତ୍ୟନ୍ତ ଶୁଭ ଦିନ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଏହି ଅନୁଷ୍ଠାନରେ ବିଦେଶରୁ ଅଧିକ ଛାତ୍ରଛାତ୍ରୀ ପଠନ ସୁଯୋଗ ପାଇବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ବାର୍ଷିକ ସମାବର୍ତ୍ତନରେ ସ୍ନାତକମାନଙ୍କୁ ୬ ଟି ଇନ୍‌ଷ୍ଟିଚ୍ୟୁଟ୍ ସ୍ୱର୍ଣ୍ଣ ପଦକ, ୫ଟି ଅନୁଦାନ ସ୍ୱର୍ଣ୍ଣପଦକ, ୫ଟି ଅନୁଦାନ ପୁରସ୍କାର, ୭୦ଟି ଶାଖା ଟପ୍ପର ପଦକ ଏବଂ ଗୋଟିଏ ଅନୁଦାନ କ୍ୟାସ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସମୁଦାୟ ୧୧ ପୁରାତନ ଛାତ୍ରଙ୍କୁ “ବିଶିଷ୍ଟ ଆଲୁମନାସ୍ ପୁରସ୍କାର – ୨୦୨୧’ ପ୍ରଦାନ କରାଯାଇଥିଲା । ସମୁଦାୟ ୧୫୫୫ ଛାତ୍ରଛାତ୍ରୀ (୮୫୯ ସ୍ନାତକ, ୬୦୮ ପୋଷ୍ଟ ଗ୍ରାଜୁଏଟ୍‌, ୮୮ ପିଏଚ୍‌ଡି) ଡିଗ୍ରୀ ହାସଲ କରିଥିଲେ । ପ୍ରାରମ୍ଭରେ ଡାଲଖାଇ ନୃତ୍ୟଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା । ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯାତ୍ରା, ପଥପ୍ରାନ୍ତ ନାଟକ ଓ ଅନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା ।