ରାଉରକେଲା,ଏନ୍ଏନ୍ଏସ୍: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ରାଉରକେଲା ଇତିହାସରେ ପ୍ରଥମ ଥର ପାଇଁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ‘ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ ଡିଗ୍ରୀ’ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଆନୀତ ଜାତୀୟ ବ୍ଲକ୍ ଚେନ୍ ପ୍ରୋଜେକ୍ଟ ଅଧୀନରେ ଏବଂ ଆଇଆଇଟି କାନପୁରର ସି ୩ଆଇ ଇନୋଭେସନ୍ ହବ୍ ସହାୟତାରେ ଏହା ବିକଶିତ ହୋଇଛି । ଏଥିରେ ମୁଖଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ସେ କହିଥିଲେ, ଟେକ୍ନୋଲୋଜିକୁ ସର୍ବଦା ଆପଣେଇବା ଉଚିତ୍ । ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀ ବ୍ଲକ୍ ଚେନ ଜରିଆରେ ପ୍ରମାଣପତ୍ର ପାଇବା ଗୌରବର ବିଷୟ ।
ନିର୍ଦ୍ଦେଶକ ପ୍ର. କେ ଉମା ମହେଶ୍ୱର ରାଓ କହିଥିଲେ, ଏନ୍ଆଇଟି ରାଉରକେଲ।। ୧୨ଟି ବିଭାଗର ୧୪ଟି ବିଷୟରେ ବି.ଟେକ୍ ଡିଗ୍ରୀ ପ୍ରଦାନ କରୁଥିବା ଭାରତର ଏକ ଉଚ୍ଚମାନର ବୈଷୟିକ ଅନୁଷ୍ଠାନରେ ପରିଣତ ହୋଇଛି । ଏହାର ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା; ବିଭିନ୍ନ କ୍ଷେତ୍ରରେ ବିକାଶ ଯଥା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ପରିଚାଳନା, ସ୍ଥାପତ୍ୟ, ମାନବିକତା ଏବଂ ସାମାଜିକ ବିଜ୍ଞାନ ଇତ୍ୟାଦି ପାଇଁ ମାନ୍ୟତା ପାଇଛି । ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶରେ ଏନ୍ଆଇଟି ରାଉରକେଲା ପାରମ୍ପରିକ ଭାବରେ ଏକ ନେତୃତ୍ୱ ରୂପେ ପରିଚିତ । କ୍ୟାରିୟର ବିକାଶ କେନ୍ଦ୍ର ସ୍ନାତକ, ସ୍ନାତକୋତ୍ତର ଏବଂ ଡକ୍ଟରେଟମାନଙ୍କୁ ଦେଶ-ବିଦେଶରେ ଗୁଣାତ୍ମକ ଆସନରେ ସ୍ଥାନିତ କରିବା ପାଇଁ ଅନେକ ସଂଗଠନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିଆସୁଛି ।
