ସାନଗୁରଜିଭଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ୫  ଗ୍ରାମକୁ ୪୮ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

ଲାଠୋର,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଆଝ ପଞ୍ଚାୟତ ସାନଗୁରଜିଭଟାରେ ଜଣେ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଆଶଙ୍କା କରି ପଞ୍ଚାୟତ ଅଧୀନ ୫  ଗ୍ରାମକୁ ମଙ୍ଗଳବାର ସକାଳଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ସରପଞ୍ଚ ବିଜୟଲକ୍ଷ୍ମୀ ବାଗ ସଟଡାଉନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ଜଣେ ଗର୍ଭବତୀ ମହିଳା ତେଲେଙ୍ଗାନାରୁ ଆସି ସଙ୍ଗରୋଧରେ ଥିଲେ। ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ବଲାଙ୍ଗିର ପଠାଯାଇଥିଲା। ସୋମବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ମହିଳାଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବଲାଙ୍ଗିର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ତେବେ ସମ୍ପୃକ୍ତ ମହିଳାଙ୍କ ସହ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ତାଙ୍କୁ ଚିହ୍ନଟ କରି ଯଥାଶୀଘ୍ର ସ୍ୱାବ ପରୀକ୍ଷା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।