ନକଲି ନୋଟ ସହ ଜଣେ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖାଲ ପୁଲିସ ବହୁ ପରିମାଣରେ ନକଲି ନୋଟ ଜବତ କରିବା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଲାଠୋର ଥାନା ଅନ୍ତଗର୍ତ ପିପଲବାହାଲ ଗ୍ରାମର ହନୁମାନ ମନ୍ଦିର ପଡ଼ାର ବ୍ରହ୍ମା ମେହେର(୩୨) । ମିଳିଥିବା ରିପୋର୍ଟ ମୁତାବକ, ବ୍ରହ୍ମା ବାଇକ ଯୋଗେ ଆସି କପସିପାଲି ଗ୍ରାମର ଗୋଟିଏ ଦୋକାନରୁ କିଛି ସାମଗ୍ରୀ କିଣି ନକଲି ନୋଟ ଦେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦୋକାନୀ ନକଲି ନୋଟ ବୋଲି ଜାଣିପାରି ସାମଗ୍ରୀ ଦେଇନଥିଲେ । ସେଠାରୁ ଅଭିଯୁକ୍ତ ଖପ୍ରାଖୋଲ ଆସି ପୁଣି ଏକ ଦୋକାନରେ ନକଲି ନୋଟ କାରବାର କରୁଥିବାବେଳେ ଦୋକାନୀ ଜାଣି ଖପ୍ରାଖୋଲ ଥାନାକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତାଙ୍କ ପାଖରୁ ୭ଟି ୫୦୦ ଟଙ୍କିଆ ନୋଟ, ୭ଟି ୨୦୦ ଟଙ୍କିଆ ନୋଟ, ୧୧ଟି ୧୦୦ ଟଙ୍କିଆ ନୋଟ, ୨ଟି ଏଟିଏମ କାର୍ଡ, ବାଇକ, ଗୋଟିଏ ମୋବାଇଲ ଓ କିଛି ଦାମୀ ସାବୁନ ଜବତ କରିବା ସହ ଅଧିକ ପଚରାଉଚୁରା ଜାରି ରଖିଛି । ଏନେଇ ଖପ୍ରାଖୋଲ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଏସଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ନକଲି ନୋଟ କାରବାରରେ ଆହୁରି ଅନେକ ଲୋକ ସାମିଲ ଥିବା ଆଶଙ୍କା କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାପଡ଼ିଛି ।