ବେଆଇନ ମହୁଲ ଚାଲାଣ ବେଳେ ଟ୍ରକ ସହ ମହୁଲ ଜବତ; ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ମହୁଲ ଚାଲାଣ ବେଳେ ବାରକୋଟ ଥାନା ପୁଲିସ ମହୁଲ ସହ ଏକ ଟ୍ରକ ଜବତ କରିଛି। ଏଥିସହ ପୁଲିସ ଟ୍ରକ ଚାଳକକୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ବାରକୋଟ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋପପୁର ଗ୍ରାମ ନିକଟରେ ଏକ ମହୁଲ ବୋଝେଇ ଟ୍ରକ (ଓଆର -୧୪ଏଲ -୧୭୧୯)କୁ ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଗାଡିରେ ପ୍ରାୟ ୧୬ କ୍ୱିଣ୍ଟାଲ ମହୁଲ ଥିବା ବେଳେ ଚାଳକ ଗାଡ଼ିରେ ଥିବା ମହୁଲର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପଚରାଉଚରା ସମୟରେ ଢେଙ୍କାନାଳ ଜିଲ୍ଲା ପଟୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳକୁ ମହୁଲ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ଫଳରେ ପୁଲିସ ଉକ୍ତ ମହୁଲ ବୋଝଇ ଟ୍ରକକୁ ଜବତ କରିବା ସହ ଗାଡି ଚାଳକକୁ ଗିରଫ କରିଥିଲା।

ସେହିପରି ବେଆଇନ ମହୁଲ କାରବାର ଅଭିଯୋଗରେ ଗାଡି ମାଲିକ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ବିରେନ ଜୟଶ୍ୱାଲ ଓ ଗ୍ରାହକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ଶୁଭମ ଅଗ୍ରୱାଲଙ୍କ ନାମରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।