ମାନବିକତା ଦେଖାଇଲେ ସାମ୍ବାଦିକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାନବିକତା ଦେଖାଇଲେ ସାମ୍ବାଦିକ। ନିଜର କର୍ତ୍ତବ୍ୟକୁ ପଛରେ ପକାଇ ଗୋଟିଏ ବଣ୍ଡା ଯୁବକର ଚିକିତ୍ସା କରାଇଲେ ୩ ସାମ୍ବାଦିକ। ଆଜି ନ୍ୟୁଜ ସଂଗ୍ରହ କରିବା ନିମନ୍ତେ ବଣ୍ଡା ଘାଟିର ମୁଦୁଲିପଡା ପଞ୍ଚାୟତ ଗସ୍ତରେ ଯାଇଥିଲେ ୩ କାର୍ଯ୍ୟରତ ସାମ୍ବାଦିକ। ସେଠାରେ ନ୍ୟୁଜ ସଂଗ୍ରହ କରିବା ସମୟରେ ଜଣେ ଛୋଟ ବାଳକ ଟିଏ ରାସନ ନେବା ନିମନ୍ତେ ମୁଦୁଲିପଡା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ।

ସେଠାରେ ଗାଡି ଚଳାଚଳର ସୁବିଧା ନଥିବାରୁ ଦୀର୍ଘ ୫ କିଲୋମିଟର ଚାଲି ଚାଲି ରଞ୍ଜନ ନାମକ ବାଳକ ଟିଏ ସାଲାନପଡା ଗ୍ରାମରୁ ରାସନ ନିମନ୍ତେ ଆସିଥିଲା। ପୂର୍ବରୁ ଏହି ବାଳକଟିର ଗୋଡ଼ରେ ଆଘାତ ଲାଗି ଗୋଡଟି ଫୁଲି ହୋଇ ରହିଥିଲା। ଫଳରେ ସେ ଠିକ ସେ ଚାଲି ପାରୁନଥିଲା। ଆଜି ଦୀର୍ଘ କିଲୋମିଟର ଚାଲି ଚାଲି ଆସିବା ଫଳରେ ଗୋଡଟି ଫୁଲି ଯିବା ସହ ସେଥିରୁ ପୂଜ ବାହାରିଥିଲା। ଏହି ଘଟଣା କାର୍ଯ୍ୟରତ ସାମ୍ବାଦିକ ଅଶୋକ ମିଶ୍ର, ଚନ୍ଦ୍ରକାନ୍ତ ପଣ୍ଡା ଏବଂ ଦେବାଶିଷ ପାତ୍ରଙ୍କ ନଜରରେ ପଡ଼ିବା ପରେ ସେମାନେ ମାନବିକତା ଦେଖାଇଥିଲେ। ସେହି ସମୟରେ ନିଜର ଖବର ସଂଗ୍ରହ ସ୍ଥଗିତ ରଖି ୩ ସାମ୍ବାଦିକ ସଙ୍ଗେ ସଙ୍ଗେ ପିଲାଟିକୁ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ।

ଡାକ୍ତରଙ୍କ ସହ ମିଶି ନିଜେ ଏହି ସାମ୍ବାଦିକମାନେ ବାଳକଟିର ଗୋଡ ସଫା କରି ତାର ଚିକିତ୍ସା କରିଥିଲେ। ବର୍ତ୍ତମାନ ବଣ୍ଡା ଘାଟି ଅଞ୍ଚଳରେ କରୋନାର ପ୍ରାଦୁର୍ଭାବ ବଢ଼ୁଥିଲେ ମଧ୍ୟ ଏହାକୁ ଖାତିର ନ କରି ଏହି ୩ ସାମ୍ବାଦିକଙ୍କ ଏପରି ସେବା ମନୋଭାବ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।