ଲୋକେଶ୍ୱରୀ ମନ୍ଦିର ଚୋରି ଘଟଣାରେ ଜଣେ ଗିରଫ, ଅଳଙ୍କାର ଜବତ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସହରର ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ବିଭିନ୍ନ ଅଳଙ୍କାର ଜବତ କରାଯିବା ସହ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ଏ ସମ୍ପର୍କରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୧ ତାରିଖ ରାତିରେ ସ୍ଥାନୀୟ ଲୋକେଶ୍ୱରୀ ମନ୍ଦିରରୁ କେହି ଦୁର୍ବୃତ୍ତ ମନ୍ଦିର ଭିତରେ ଥିବା ଗର୍ଭ ଗୃହରେ ପ୍ରବେଶ କରି ରୌପ୍ୟ ମୁକୁଟ, କମଟ ପଟି, ତ୍ରୀଶୂଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ। ପରଦିନ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

କୌଣସି ସୂତ୍ରରୁ ଖବରପାଇ ପୁଲିସ୍ ଟିମ ଶୁକ୍ରବାର ରାତିରେ ସ୍ଥାନୀୟ ଢେପସାହିର ସନ୍ଦୀପ ମହାନନ୍ଦିଆଙ୍କ ଘରେ ଚଢ଼ଉ କରି ଅଭିଯୁକ୍ତ ସନ୍ଦୀପକୁ ଗିରଫ କରିବା ସହ ତା’ଠାରୁ ଉପରୋକ୍ତ ଚୋରି ସାମଗ୍ରୀ ଜବତ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଏସଡିପିଓ ସୂଚନା ଦେବା ସହ ଖୁବଶୀଘ୍ର ଫେରାର ଆସାମୀକୁ ଗିରଫ କରାଯିବ ବୋଲି କହିଛନ୍ତି। ଗିରଫ ସନ୍ଦୀପ ମହାନନ୍ଦିଆ ବିରୋଧରେ ଜୟପୁର ଟାଉନ୍ ଥାନାରେ ଚୋରି, ଡକାୟତି ଭଳି ୧୮ଟି ମାମଲା ପୂର୍ବରୁ ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଗିରଫ ସନ୍ଦୀପକୁ ଶନିବାର କୋର୍ଟଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜୟପୁର ଟାଉନ୍ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।