ଏମ୍ସରେ ଭର୍ତ୍ତି ହେଲେ ୨ ଆହତ ଯବାନ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ଗୁରୁତର ଯବାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନିଜେ ପୁଲିସ ଡିଜିପି ଅଭୟ ହେଲିକପ୍ଟରରେ ଭୁବନେଶ୍ୱର ଆଣି ଏମ୍ସରେ ଭର୍ତ୍ତି କରାଇଛନ୍ତି। ସୂଚନା ଅନୁସାରେ ଡିଜିପି ଆଜି କୋରାପୁଟ, ମାଲକାନଗିରି ଗସ୍ତରେ ଯାଉଥିବା ବେଳେ ଏହି ଘଟଣାର ଖବର ପାଇ ନିଜ ଗସ୍ତକୁ ବାତିଲ କରି ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ।

୨ ଗୁରୁତର ଯବାନଙ୍କ ମଧ୍ୟରେ ଜଣଙ୍କର ହାତରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଥିବା ସୂଚନା ରହିଛି। ୨ ଯବାନଙ୍କ ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଡାକ୍ତର ତୁଷାର ମିତ୍ରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଥିବା ବେଳେ ଏଥିରେ ସର୍ଜରୀ, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଓ ସିଟି ବିଏସ୍ ସାମିଲ ଅଛନ୍ତି। ଏମ୍ସରେ ଯବାନଙ୍କ ଚିକିତ୍ସା ଚାଲୁରହିଥିବା ବେଳେ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେହିପରି ଛାତିରେ ଗୁଳି ବାଜିଥିବା ଯବାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆବଶ୍ୟକ ପଡ଼ିଲେ ତାଙ୍କର ଅପରେସନ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ରିପୋର୍ଟ ମୁତାବକ, ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ୨ଯବାନ ଗୁରୁତର ହୋଇଛନ୍ତି।