ଲଖନଉ: ୟୁପିରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ଲ’ କମିଶନ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ-୨୦୨୧ର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଉକ୍ତ ଡ୍ରାଫ୍ଟ ଅନୁସାରେ, ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ସରକାରୀ ସୁବିଧା ପାଇବେ ନାହିଁ। ସମ୍ପୃକ୍ତ ବ୍ୟକ୍ତି ସରକାରୀ ଚାକିରି ଲାଗି ଆବେଦନ କରିପାରିବେ ନାହିଁ କି ସ୍ଥାନୀୟ ନିର୍ବାଚନ ଲଢ଼ିପାରିବେ ନାହିଁ। ଆଇନ ଲାଗୁ ହେବାର ବର୍ଷକ ମଧ୍ୟରେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ଉକ୍ତ ନିୟମ ଉଲ୍ଲଂଘନ କରିବେନି ବୋଲି ଶପଥପତ୍ର ପ୍ରଦାନ କରିବେ। ଶପଥପତ୍ର ପ୍ରଦାନ ପରେ ଯଦି କେହି ତୃତୀୟ ସନ୍ତାନକୁ ଜନ୍ମ ଦିଅନ୍ତି ତେବେ ପଦୋନ୍ନତି ରୋକାଯିବା ସହ ଚାକରିରୁ ବରଖାସ୍ତ ମଧ୍ୟ କରାଯାଇପାରିବ। କିନ୍ତୁ ତୃତୀୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ। ଏନେଇ ଜୁଲାଇ ୧୯ ସୁଦ୍ଧା ନିଜର ମତାମତ ରଖିବାକୁ କମିଶନ ପକ୍ଷରୁ ଜନତାଙ୍କୁ କୁହାଯାଇଛି।