ଭତ୍ତାରୁ ବଞ୍ଚିତ ୭୨ ବର୍ଷୀୟା ବୃଦ୍ଧା

କୋରାପୁଟ,ଏନ୍ଏନ୍ଏସ୍: ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକ୍, ପିଇଓଙ୍କଠାରୁ ବିଡିଓ ସମସ୍ତଙ୍କୁ ଗୁହାରୀ କରିବା ସତ୍ତେ୍ୱ ମଧ୍ୟ ଡମାଇ ପରଜା ୭୨ ବର୍ଷ ବୟସରେ ଭତ୍ତା ପାଇ ପାରୁନାହାନ୍ତି। ସରକାରୀ ନିୟମାନୁଯାୟୀ ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ଡମାଇଙ୍କ ପାଇଁ ନିୟମ ହଜିଯାଇଛି। ବୈପାରିଗୁଡ଼ା ବ୍ଲକ୍ ରାମଗିରି ପଞ୍ଚାୟତ ବାଘଛଲା ଗ୍ରାମର ଡମାଇ ପରଜା ଭତ୍ତା ପାଇଁ ୧୨ ବର୍ଷ କାଳ ସରକାରୀ ବାବୁ ଓ ଲୋକ ପ୍ରତିନିଧିଙ୍କ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ମଧ୍ୟ ତାଙ୍କ ପ୍ରତି କାହାର ଦୃଷ୍ଟି ପଡ଼ିନି। ମା’ର ଭତ୍ତା ପାଇଁ ବିଭିନ୍ନ ସମୟରେ ୫ଥର ଆବେଦନ କରିଥିବାବେଳେ ସବୁବେଳେ ପ୍ରତିଶ୍ରୁତି ମିଳିଛି ହେଲେ ଭତ୍ତା ଆଜି ଯାଏ ହୋଇପାରି ନାହିଁ ବୋଲି ଡମାଇଙ୍କ ପୁଅ ଅଭିଯୋଗ କରିଛନ୍ତି। ଗରିବ, ନିଃସହାୟଙ୍କ ପାଇଁ ଥିବା ସାମାଜିକ ଯୋଜନା ଯଦି ଉପଯୁକ୍ତ ହିତାଧିକାରୀଙ୍କୁ ମିଳୁନି ତା’ହେଲେ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଡମାଇ ପରିଜାଙ୍କ ସମସ୍ୟା ବିଡିଓଙ୍କ ଦୃଷ୍ଟିକୁ ନେବା ପରେ ସେ ତୁରନ୍ତ ତାଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିବେ ବୋଲି ବୈପାରିଗୁଡ଼ା ବିଡିଓ ପ୍ରକାଶ କରିଛନ୍ତି।