ପ୍ରଥମ ସ୍ତ୍ରୀର ଅଜାଣତରେ ଆଉ ତିନୋଟି ସ୍ତ୍ରୀ ଗ୍ରହଣ କରି ରଙ୍ଗିଲା ସ୍ୱାମୀ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଟାଇଁସିରା ଗ୍ରାମରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଥିବା ସତ୍ୱେ ପ୍ରଥମ ସ୍ତ୍ରୀକୁ ନ ଜଣାଇ ଆଉ ତିନିଜଣ ମହିଳାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ଗିରଫ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟାଇଁସିରା ଗ୍ରାମର ରାଇଟର ଦେହୁରୀଙ୍କ ପୁଅ ଅଲେଖ ଦେହୁରୀ (୪୮) ୧୮ ବର୍ଷ ପୂର୍ବେ ଅମୃତି ଦେହୁରୀ (୪୫)ଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସ ରୁ ତିନୋଟି ସନ୍ତାନ ରହିଥିବା ବେଳେ ଅଲେଖ ବିଭିନ୍ନ ସମୟରେ ଅମୃତିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ମାତ୍ର ଅମୃତି ଏସବୁ ସହି ଚଳି ଆସୁଥିଲେ। ତେବେ ଅଲେଖ ସ୍ତ୍ରୀ ଅମୃତି ଙ୍କ ଅଜାଣତରେ ପ୍ରମିଳା ଦେହୁରୀ, କଇଁ ଦେହୁରୀ ଓ ସୁକାନ୍ତି ଦେହୁରୀଙ୍କୁ ଗୋଟିଏ ପରେ ଗୋଟିଏ ସ୍ତ୍ରୀ ଭାବେ ଗ୍ରହଣ କରି ଘରକୁ ଆଣି ଥିଲେ।

ଅମୃତି ଏହାର ପ୍ରତିବାଦ କରିବାରୁ ଅଲେଖ ପ୍ରଥମ ସ୍ତ୍ରୀକୁ ମାଡ ମାରିବା ସହ ଜୀବନରେ ମାରିବାକୁ ଧମକ ଦେଇଥିଲେ। ଏନେଇ ଗାଁରେ ଏକ ବୈଠକ ଡକାଯାଇ ସମାଧାନ ପାଇଁ ପ୍ରୟାସ କରାଯାଇଥିଲେ ହେଁ ବିଫଳ ହୋଇଥିଲା। ଏପରିକି ଗତ ଶନିବାର ଦିନ ଅଲେଖ ଅମୃତି ଙ୍କୁ ମାଡ ମାରି ଘରୁ ତଡି ଦେବାରୁ ଅମୃତି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ରଙ୍ଗିଲା ସ୍ୱାମୀ ଅଲେଖକୁ ଆଜି ଗିରଫ କରିଥିବା ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି ।