ଯୁବ କଂଗ୍ରେସ କର୍ମୀ ସମାବେଶ ଦୁଇ ଗୋଷ୍ଠୀ ହାତାହାତି, ଛୁରା ମାଡ଼ରେ ଜଣେ ଆହତ

ମାହାଙ୍ଗା,କୋଠପଦା , ଏନ୍ଏନ୍ଏସ୍: ମାହାଙ୍ଗା କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇ ଛୁରାମାଡ଼ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋଷ୍ଠୀ ବିବାଦ ଯୋଗୁ ସଭା ଆୟୋଜନ କରିଥିବା ଗୋଷ୍ଠୀଙ୍କୁ ବିରୋଧ କରି ଅନ୍ୟ ଗୋଷ୍ଠୀର କର୍ମୀମାନେ ସଭା ମଞ୍ଚକୁ ଚଢି ବିଭିନ୍ନ ଅଶାଳୀନ ଭାଷା ପ୍ରୟୋଗ କରି ଉତ୍ପାତ କରିଥିଲେ। ସଭାକୁ ବିରୋଧ କରୁଥିବା କର୍ମୀମାନେ କହୁଥିଲେ କି ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁ ହେଉଛନ୍ତି ଆମ ନେତା। ଆଉ ଏଠି କୋଉ ନେତା ନାହାନ୍ତି। ଏମାନେ ଏଠି କିଏ ବୋଲି କହି ସଭାରେ ଉପସ୍ଥିତ ଥିବା ଦଳୀୟ ନେତୃମଣ୍ଡଳୀକୁ ପ୍ରଶ୍ନ କରିବା ସହ ହୋହଲ୍ଲା କରି ସଭା ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

ଏହାପରେ ସଭା ଆୟୋଜନ କରୁଥିବା ଗୋଷ୍ଠୀର କର୍ମୀମାନେ ବିରୋଧ କାରୀ ଯୁବକମାନଙ୍କୁ ଗଣ୍ଡଗୋଳ ନ କରିବାକୁ ବାରଣ କରି ସେମାନଙ୍କୁ ସଭାସ୍ଥଳରୁ ଯିବା ପାଇଁ ନିବେଦନ କରୁଥିବାବେଳେ ସେମାନେ ଉତ୍କ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ଉତ୍ତେଜନା ଆହୁରି ହେବାକୁ ଲାଗିଥିଲା। ତେବେ ଏହି ଆକ୍ରମଣରେ ମଣିଯୋରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପେଟରେ ଗଭିର କ୍ଷତ ହେବା ସହ ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି। ଖବର ପାଇ ମାହାଙ୍ଗା ପୁଲିସ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳକାରୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଏହି ସଭାରେ ପ୍ରାକ୍ତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ପ୍ରାକ୍ତନ ପିସିିସି ମୁଖପାତ୍ର ନିକୁଞ୍ଜ ପଶାୟତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ପ୍ରାକ୍ତନ ପିସିିସି ସମ୍ପାଦକ ପ୍ରଦୀପ୍ତ କୁମାର ଦାସ , ଯୁବ ସଂଗଠକ ମସୁଦ ଅଲି ପ୍ରମୁଖ ଯୋଗ ଦେଇଥିଲେ।