ଇବ ବ୍ରିଜରେ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯ ଇବ ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଝାରସୁଗୁଡା ପଟୁ ଦ୍ରୁତ ଗତିରେ ଏକ କାର ଆସି ଇବ ବ୍ରିଜ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଜଣେ ବାଇକ ଆରୋହୀ ଓ ଆଉ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ବ୍ରଜରାଜନଗର ଓପିଏମ କଲୋନୀର ଲୋକେଶ ଗୋୟଲ(୪୦) ବୋଲି ଜଣାପଡ଼ିଛି।

ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇଯାଇଥିବାବେଳେ ଦୁର୍ଘଟଣା ଘଟାଇଥିବା କାର ଏବଂ ଦୁର୍ଘଟଣାଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି। ଦୁର୍ଘଟଣା ପରେ ଲୋକଙ୍କର ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଖବର ଲେଖିବା ପର୍ଯ୍ୟନ୍ତ ସଦର ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଛି। ସେହିପରି ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ନାହିଁ।

ଦୁର୍ଘଟଣା ଘଟାଇଥିବା କାର ଚାଳକ ଜଣକ ଝାରସୁଗୁଡା ପଟୁ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ଅସୁଥିବାବେଳେ ବୁଡିପଦର ନିକଟରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସେ ଦ୍ରୁତ ଗତିରେ କାର ଚଳାଇ ଫେରାର ହୋଇଥିଲେ। ଗତି ନିୟନ୍ତ୍ରଣ କରିନପାରି ଇବ ବ୍ରିଜରେ ପୁଣି ଦୁଇ ଜଣଙ୍କୁ ଧକ୍କା ଦେଇଥିବା କିଛି ସ୍ଥାନୀୟ ଲୋକେ ପ୍ରକଶ କରିଛନ୍ତି।