ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନଗଣନାର ପ୍ରାରମ୍ଭିକ ପଦକ୍ଷେପ ସ୍ବରୂପ ଆଜି ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସଭାଗୃହରେ ଆରମ୍ଭ ହୋଇଛି ଜନଗଣନା ପ୍ରସ୍ତୁତି ବିଷୟକ ପ୍ରଶିକ୍ଷଣ। ଆଗକୁ ଆସୁଥିବା ଜନଗଣନା ବିଏମସି ଅଂଚଳରେ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜନଗଣନା ପାଇଁ ସମୁଦାୟ ୮ ଜଣ ଅଫିସରଙ୍କୁ ଚୟନ କରାଯାଇଛି। ଜନଗଣନାର ନିୟମାବଳୀ ମାନି ସମୟାନୁକ୍ରମେ ଆବଶ୍ୟକୀୟ ବୈଠକ, ପ୍ରଶିକ୍ଷଣ ଏବଂ କ୍ଷେତ୍ର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର ସଂଜୟ କୁମାର ସିଂହ। ଏହି ଅନୁଯାୟୀ ଆଜି ୮ ଜଣ ଚାର୍ଜ ଅଫିସରଙ୍କ ସମେତ ଅମିନ, ସର୍ଭେ ଆସିଷ୍ଟାଣ୍ଟ ଇତ୍ୟାଦିଙ୍କ ପାଇଁ ଆଜିର ବୈଠକରେ ସମୁଦାୟ ୫୦ ଜଣଙ୍କୁ ପ୍ରଶିକ୍ଷଣ କରାଯାଇଛି।
ଜନଗଣନାର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ମହାନଗର ନିଗମାଞ୍ଚଳକୁ କେତୋଟି ଏନୁମରେସନ୍ ବ୍ଲକ୍ରେ ବିଭକ୍ତ କରାଯିବ। ସର୍ବେକ୍ଷଣ କିପରି କରାଯିବ ଏହାର ମାପକାଠି କିପରି ରହିବ, ତାହାର ନିର୍ଦ୍ଦେଶାବଳୀ କ’ଣ ରହିଛି ଏହି ବାବଦରେ ଆଲୋଚନା ପାଇଁ ଆମେ ଆଜିର ପ୍ରଶିକ୍ଷଣ ଆୟୋଜନ କରିଛୁ ବୋଲି କହିଛନ୍ତି ବୈଠକରେ ସଭାପତିତ୍ବ କରୁଥିବା ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ।
ଚଳିତ ବର୍ଷର ଚାର୍ଜ ଅଫିସରମାନେ ହେଲେ-ପୁରନ୍ଦର ନନ୍ଦ, କମଲଜିତ୍ ଦାସ, ପ୍ରମୋଦ କୁମାର ପୃଷ୍ଟି, ରବି ନାରାୟଣ ଜେଠୀ, ରମେଶ ଚନ୍ଦ୍ର ଜେନା, ଗାୟତ୍ରୀ ସାମନ୍ତରାୟ, କମଳାକାନ୍ତ ବେହେରା ଏବଂ ମହେନ୍ଦ୍ରନାଥ ବଢେଇ।