କଟକ,ଏନ୍ଏନ୍ଏସ୍: ରାଜ୍ୟ ଆଇନ ସେବା ଭବନରେ ଉଦଘାଟିତ ହେଲା ମଧ୍ୟସ୍ଥତା କେନ୍ଦ୍ର। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ବାରା ଏହା ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଏହାକୁ ଲୋକାର୍ପିତ କରିଥିଲେ। ଆଇନ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଏହି ଭବନ ଆଇନ ସେବା ଯୋଗାଇବ। ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇବ ଏହି ଭବନ। ଆଇନ ସେବା ପ୍ରାଧିକରଣର ନିଜସ୍ୱ ବିଲ୍ଡିଂ ହେଉଛି ଆଇନ ସେବା ଭବନ।
ଓଡ଼ିଶା ଜୁଡିସିଆଲ ଏକାଡେମିରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ଟ୍ରେନିଂ କର୍ମଶାଳା ଆୟୋଜିତ ହୋଇଥିଲା।
ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ହାଇକୋର୍ଟରେ ପ୍ରଥମ ଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ବେଞ୍ଚ ଗଠିତ ହୋଇଛି। ଓଡିଶା ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏସ ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ଟ୍ରେନର ଓ ଟ୍ରେନିଂ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମଧ୍ୟସ୍ଥତା ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ।