ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବୃଦ୍ଧ ନିଖୋଜ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟରେଲ ପଞ୍ଚାୟତର ପୁରୁଣା ଚିତାପାରି ଗ୍ରାମର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନିଖୋଜ ବ୍ୟକ୍ତିଙ୍କ ନାମ ହରି ଖେମୁଣ୍ଡୁ (୫୫) ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରେ ହାଇଦ୍ରାବାଦର ଜଣେ ଠିକାଦାର ଏବଂ ବାଲିମେଳାର ଡ୍ରାଇଭର ଲାଇନରେ ରହୁଥିବା ସଦା ବେନିଆ ନାମକ ବ୍ୟକ୍ତି ପୁରୁଣା ଚିତାପାରିକୁ ଯାଇ ସେଠାରେ ହାଇଦ୍ରାବାଦରେ କାମ କଲେ ସର୍ବାଧିକ ମଜୁରୀ ମିଳୁଛି ବୋଲି ମିଛ କହି ସେହି ଗାଁ ର ୫ ଜଣଙ୍କୁ କାମ କରିବାକୁ ନେଇଯାଇଥିଲେ ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ତେବେ ସେଠାରେ କାମର ଠିକ ସେ ମଜୁରୀ ନ ମିଳିବାରୁ ୨ ଜଣ ବ୍ୟକ୍ତି ଫେରି ଆସିଥିଲେ। ତେବେ ଅନ୍ୟ ୩ ଜଣଙ୍କୁ ମଧ୍ୟ ସେଭଳି ଠିକାଦାରୀ ସଂସ୍ଥା ଉଚିତ ମଜୁରୀ ନଦେଇ ହଇରାଣ ହରକତ କରିବାରୁ ସେହି ୩ ଜଣ ହାଇଦ୍ରାବାଦରୁ ଗତ ୧୮ ତାରିଖରେ ବାହାରି ଆସିଥିଲେ। ତେବେ ଉକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରାୟଗଡା ଜିଲ୍ଲାର ଟିକିରି ଠାରେ ରେକ ଷ୍ଟେସନରୁ ଓଲ୍ହାଇଥିବା ବେଳେ ଟ୍ରେନ ଛାଡି ଦେଇଥିବା ଅନ୍ୟ ଦୁଇ ବ୍ୟକ୍ତି କହିଥିଲେ ।

ତେବେ ସେହି ୧୮ ତାରିଖରୁ ହିଁ ଏହି ବୃଦ୍ଧ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ବ୍ୟକ୍ତିଙ୍କ ନାମ ହରି ଖେମୁଣ୍ଡୁ(୫୫) ଓ ସେ ପୁରୁଣା ଚିତାପାରି ଗ୍ରାମର ଅଧିବାସୀ । ତେବେ ନିଖୋଜ ବ୍ୟକ୍ତିଙ୍କ ପୁଅ ରଘୁ ଖେମୁଣ୍ଡୁ ମଧ୍ୟ ଟିକିରିକୁ ଯାଇ ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ଫଳ ମିଳି ନଥିଲା। ଶେଷରେ ବାଧ୍ୟ ହୋଇ ହରି ଖେମୁଣ୍ଡୁର ପରିବାର ଲୋକେ ଗତକାଲି ଓରକେଲ ଥାନାରେ ନିଖୋଜ ନେଇ ଏକ ଏତଲା ଦେଇଛନ୍ତି । ପୋଲିସ ବର୍ତ୍ତମାନ ଏନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।