ସ୍ୱାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ନକ୍ସଲଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଯୋଡ଼ାମ୍ବ ଗାଁର ବାସିନ୍ଦା ଦୀନବନ୍ଧୁ ବେପାରୀ । ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ପଞ୍ଚାୟତର ଖଜୁରୀଗୁଡ଼ା ଜଂଗଲର ବିହନଗୁଡ଼ା ଛକ ନିକଟରେ ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ପୁଲିସ ଅଜଣା କାରଣରୁ ଏନେଇ ଆଦୌ ମୁହଁ ଖୋଲୁନାହିଁ ।

ସୂଚନା ଅନୁଯାୟୀ, ଦୀନବନ୍ଧୁ ପେସାରେ ଜଣେ ବ୍ୟବସାୟୀ । ଏହି ଅଞ୍ଚଳର ସାପ୍ତାହିକ ହାଟରେ ସେ ବ୍ୟବସାୟ କରୁଥିଲେ । ଗତକାଲି ପରିବାର ସହ ସେ ଯୋଡ଼ାମ୍ବରୁ ପଣସପୁଟ ଯାଉଥିଲେ । ରାସ୍ତାରେ ନକ୍ସଲଙ୍କ ସହ ଭେଟ ହୋଇଥିଲା । କିଛି କାମ ରହିଥିବା ଦର୍ଶାଇ ନକ୍ସଲ ତାଙ୍କୁ ସେଠାରୁ ନେଇ ଯାଇଥିଲେ । ପରିବାର ଲୋକ ବି ବିଶେଷ ଗୁରୁତ୍ୱ ନଦେଇ ଘରକୁ ଚାଲି ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନକ୍ସଲ ନିଛାଟିଆ ସ୍ଥାନରେ ପୁଲିସ ଇନଫର୍ମର ଦର୍ଶାଇ ଗଳକାଟି ହତ୍ୟା କରିଥିଲେ । ବିହନଗୁଡ଼ା ଜଙ୍ଗଲରେ ଶବ ଫିଙ୍ଗି ନକ୍ସଲ ଚାଲି ଯାଇଥିଲେ । ଖବରପାଇ ଆଜି ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ନେଇ ଆସିଥିବା ଜଣାପଡ଼ିଛି ।

ଏନେଇ ଚିତ୍ରକୋଣ୍ଡା ପୁଲିସ ନିକଟରେ ସଠିକ ତଥ୍ୟ ନାହିଁ । ହାତରୁ ଖସୁଥିବା ଗଡ଼ରେ ପୁଣି ନିଜ ପତିଆରା ଜାହିର କରିବାକୁ ନକ୍ସଲ ଏହି ନାରକୀୟ କାଣ୍ଡ କରିଥିବା କୁହାଯାଉଛି । ପୁଣି ଯୋଡ଼ାମ୍ବ ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ଘଟଣା ଘଟାଇ ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ମାଓବାଦୀମାନେ ଦୀନବନ୍ଧୁ ବେପାରୀକୁ ନିର୍ମମ ଭାବରେ କ୍ଷତ କରିବା ସହ ଗୁଳି କରି ହତ୍ୟା କରାଯାଇଥିବା ସଂନ୍ଦେହେ କରାଯାଉଛି । ଘଟଣା ଘଟିବାର ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଉଦ୍ଧାର କରିବା ପାଇଁ ପହଂଚି ନାହାନ୍ତି କେହି ବିଭାଗୀୟ ଅଧିକାରୀ ।