କୂଅରେ ପଡ଼ି ବୃଦ୍ଧା ମୃତ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମେଡିକାଲ କଲୋନୀରେ କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବାୟାନାଥ ପ୍ରଧାନଙ୍କ ମା’ ରଙ୍ଗବତି ପ୍ରଧାନ। ମିଳିଥିବା ରିପୋର୍ଟ ମୁତାବକ, ରଙ୍ଗବତି ଗାଧୋଇବା ପାଇଁ ସରକାରୀ ବାସଭବନ ନିକଟରେ ଥିବା କୂଅରୁ ପାଣି କାଢ଼ିବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପ୍ରଥମେ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ କୂଅ ନିକଟକୁ ଯାଇ ଦେଖିବା ବେଳକୁ ତାଙ୍କ ଲୁଗା କୂଅ ଭିତରେ ଭାସୁଥିଲା। ଖବର ପାଇ ଘଟଣାସ୍ଥଳରେ କ.ନୂଆଗାଁ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।