ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତରେ ଆଜି ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ତେଲିମୁଣ୍ଡା ଗ୍ରାମର ସ୍ୱର୍ଗତ ଦାମୋଦର ସାହୁଙ୍କ ପତ୍ନୀ ପାର୍ବତୀ ସାହୁ। ମିଳିଥିବା ରିପୋର୍ଟ ମୁତାବକ, ପାର୍ବତୀ ନିଜ ଘର ସମ୍ମୁଖରେ ଘାସ ସଫା କରୁଥିବାବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ପ୍ରବାହିତ ହେଉଥିବା କାରଣରୁ ଆଘାତରେ ପାର୍ବତୀ ଛିଟିକି ପଡ଼ି ଅଚେତ ହେବା ସହ ଗୁରୁତର ହୋଇ ପଡ଼ିଥିଲେ।

ପରିବାର ଓ ପଡ଼ିଶା ଲୋକଙ୍କ ସହାୟତାରେ ଗୁରୁତର ପାର୍ବତୀଙ୍କୁ ଚିକିତ୍ସା ପାଇଁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଡାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ କରି ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି।