ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଗୁରୁଜାଙ୍ଗ ଗ୍ରାମର ସ୍ବର୍ଗତ ବିଦେଶୀ କାଲୋଙ୍କ ପତ୍ନୀ ଟାଇଲ କାଲୋ (୬୫) ଅନ୍ୟ ଦିନ ଭଳି ରାତିରେ ଖିଆପିଆ ସାରି ନିଜ ବୋହୁ ସହ ଘର ଚଟାଣରେ ଶୋଇଥିଲେ।

ବିଳମ୍ବିତ ରାତିରେ ଏକ ବିଷଧର ସାପ ଟାଇଲଙ୍କୁ କାମୁଡି ଦେଇଥିବା ସେ ଏହା ଜାଣିପାରି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ନିଦରୁ ଉଠି ଦେଖିବା ବେଳକୁ ସେଠାରେ ଏକ ବିଷଧର ଚିତି ସାପ ଥିବା ଦେଖି ସାପଟିକୁ ପିଟି ମାରିଦେବା ସହ ଗୁରୁତର ଟାଇଲଙ୍କୁ ଦେଶୀ ଚିକିତ୍ସା ଆରମ୍ଭ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଆଜି ପୂର୍ବାହ୍ନରେ ତାଙ୍କୁ ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।