ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିବା ବେଳେ ଜଣେ ଗିରଫ

ରିଆମାଳ,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ କଙ୍କରଖୋଳ ପିଆରପିଏଫ ଅନ୍ତର୍ଗତ ଲୁଲଙ୍ଗ ଜଙ୍ଗଲରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ତାର ବିଛାଉଥିବା ବେଳେ କୁଣ୍ଢେଇଗୋଳା ବନ ବିଭାଗ କର୍ମଚାରୀ ମାନେ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଲୁଲଙ୍ଗ ଅଞ୍ଚଳର ଜଙ୍ଗଲରେ ବିଦ୍ୟୁତ ତାର ବିଛାଯାଇ ଜଙ୍ଗଲି ଜନ୍ତୁ ଶିକାର ଚାଲିଥିବା ନେଇ ବନବିଭାଗ କୌଣସି ସୂତ୍ରରୁ ଖବରପାଇ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କଡାକଡି ଜାରି ରଖି ଶିକାରୀ ମାନଙ୍କ ଉପରେ କଡା ନଜର ରଖୁଥିଲା।

ଆଜି ସନ୍ଧ୍ୟାରେ ବିଦ୍ୟୁତ ତାର ଟାଣୁଥିବା ସମୟରେ ଫରେଷ୍ଟର ପ୍ରିତମ କୁମାର ସାହୁ, ଫରେଷ୍ଟଗାର୍ଡ ଗୋପାଳ କୃଷ୍ଣ ମହାକୁଳ ସଦଳବଳେ ପହଞ୍ଚି ଲୁଲଙ୍ଗ ଗ୍ରାମର ଘନଶ୍ୟାମ କୁମୁରାଙ୍କ ପୁଅ ନେତ୍ରାନନ୍ଦ କୁମୁରା (୩୨)ଙ୍କୁ ଗିରଫ କରିଥିଲେ। ତା ନିକଟରୁ ୫ କେ.ଜି. ବିଦ୍ୟୁତ ତାର ଜବତ କରି ତଦନ୍ତ ଚଳାଇଥିବା ଫରେଷ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି।