ରାମବିଳାସ ପାଶୱାନଙ୍କ ମୃତ୍ୟୁ ପରେ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ 

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଦିନ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ନେତା ସ୍ୱର୍ଗତ ରାମବିଳାସ ପାଶୱାନ୍ ଏହି ଦାୟିତ୍ୱରେ ଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, ସାମ୍ପ୍ରତିକ ଦାୟିତ୍ୱ ସହ ଗୋୟଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପ୍ରତି ଗୋୟଲ ଏନ୍‌ଡିଏ ନେତୃତ୍ୱାଧୀନ ସରକାରରେ ରେଳମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ଗତ ଅଳ୍ପ କେତେ ସପ୍ତାହ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରାମବିଳାସ ପାଶୱାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ‘ଏମ୍ସ’ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶୁକ୍ରବାର ପୂର୍ବାହ୍ଣରେ କେନ୍ଦ୍ର କ୍ୟାବିନେଟ୍ ସ୍ୱର୍ଗତ ପାଶୱାନଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରିଥିଲା । ସ୍ୱର୍ଗତ ନେତାଙ୍କ ସ୍ମୃତିରେ କ୍ୟାବିନେଟ୍ ସଦସ୍ୟମାନେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ପାଶୱାନଙ୍କ ନିମନ୍ତେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତ୍ୟେଷ୍ଟିକ୍ରିୟାକୁ କ୍ୟାବିନେଟ୍ ଅନୁମୋଦନ କରିବା ସହ ଏକ ପ୍ରସ୍ତାବନା ମଞ୍ଜୁର କରିଥିଲା ।

ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଥିଲା ଯେ, କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଦୁଃଖଦ ବିୟୋଗରେ କ୍ୟାବିନେଟ୍ ଗଭୀର ଶୋକ ପ୍ରକାଶ କରୁଛି । ତାଙ୍କ ମୃତ୍ୟୁ ଯୋଗୁଁ ଜାତି ଜଣେ ପ୍ରଖ୍ୟାତ ନେତା, ସୁପରିଚିତ ସାଂସଦ ଏବଂ ଦକ୍ଷ ଶାସକକୁ ହରାଇଲା ।