ନବରଙ୍ଗପୁର,ଏନ୍ଏନ୍ଏସ୍: ଓଡ଼ିଶା ସାମ୍ବାଦିକ ସଂଘ(ଓଜେୟୁ) ନବରରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ସାମ୍ବାଦିକଙ୍କ ପାଇଁ କର୍ପସ ପାଣ୍ଠିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସାମ୍ବାଦିକମାନେ ନିଜର ବୃତ୍ତି ଠିକ ଭାବରେ କରିବାକୁ ମତ ଦେଇଥିଲେ । ପ୍ରତ୍ୟେକ ବୃତ୍ତିରେ କିଛି ନା କିଛି ଅସୁବିଧା ଆସିବ ତାକୁ ଖାତିର ନକରି ନିଜର କର୍ତ୍ତବ୍ୟରେ ଆଗେଇବାକୁ ପରାମର୍ଶ ଦେଇଥିଲେ । ତେବେ ଖବର ପରିବେଷଣ ବେଳେ ଆଇନର ଦାୟିତ୍ୱ ରହିବା ଦରକାର । କାମଳ ସାମ୍ବାଦିକତା ସମ୍ପର୍କରେ ଆଲୋଚନା ହେଉଥିବାବେଳେ ଏଥିପ୍ରତି ସଜାଗ ରହିବା ଉଚିତ ହେବ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ସମାଜ ବିକାଶରେ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକଙ୍କର ଏକତା ଓ ସଂଗଠନର ଦୃଢ଼ତା ଉପରେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ରାଜ୍ୟରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ କରିଛନ୍ତି । ଓଡ଼ିଶାରେ ମଧ୍ୟ ତୁରନ୍ତ ଏହି ଆଇନ ପ୍ରଣୟନ କରିବାକୁ ଦାବୀ କରିଥିଲେ । ପ୍ରଥମଥର ପାଇଁ ଆସନ୍ତା ମେ’ ୩ ତାରିଖ ଅନ୍ତର୍ଜାତୀୟ ପ୍ରେସ ଦିବସରେ ଭୁବନେଶ୍ୱରରେ ସଂଘର ରାଜ୍ୟ ସମ୍ମିଳନୀ କରି ପାଳନ କରାଯିବ ବୋଲି ସୂଚନା ଦେଇଥିଲେ । ଏଥିରେ ସମସ୍ତେ ଯୋଗଦେବାକୁ ଆହ୍ୱାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ରାଜ୍ୟ ସଂଘର ୧୦ଟି ଦାବୀ ସମ୍ପର୍କରେ ଅବଗତ କରାଇବା ସହ ସାମ୍ବାଦିକ ସୁରକ୍ଷା ଆଇନ, ବୀମାରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି, ଅବସରକାଳୀନ ଭତ୍ତା, ଋଣରେ ସରଳୀକରଣ ଓ ଅଧିସ୍ୱୀକୃତି ନୀତିର ସରଳିକରଣ ପାଇଁ ଦାବୀ କରିଥିଲେ । ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ଉପସଭାପତି ମିଟୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ କେ. ବେଣୁ ଗୋପାଳ ରାଓ, ଦେବୀ ପ୍ରସାଦ ମହାପାତ୍ର, ଉପଦେଷ୍ଟା ଭାଗିରଥୀ ମଲ୍ଲିକ, ଶିବ ବିଷୋୟୀ ଓ ଶ୍ରୀହରି ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଜାନକୀକାନ୍ତ ବିଷୋୟୀ ସମ୍ପାଦକୀୟ ବିବରଣୀ ପାଠ ପରେ ଶେଷରେ ଧନ୍ୟବାଦ ଦେଇଥିଲେ ।