ଓଡ଼ିଶା ୱିମେନ୍ସ ଲିଗ୍‌: ଚାମ୍ପିଅନ୍ ଓ ରନର୍ସ ଟିମ୍‌କୁ ପୁରସ୍କାର ପ୍ରଦାନ

ଓଡ଼ିଶା-୧୮କୁ ହରାଇଲା ଓଡ଼ିଶା ପୁଲିସ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଓଡ଼ିଶା ୱିମେନ୍ସ ଲିଗ୍‌ରେ ଚାମ୍ପିଅନ୍ ଓ ରନର୍ସଅପ୍ ଟିମ୍ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଶୁକ୍ରବାର ଚାମ୍ପିଅନ୍ ଓଡ଼ିଶା ପୁଲିସ୍ ଓ ରନର୍ସଅପ୍ ସ୍ପୋର୍ଟ୍ସ ଓଡ଼ିଶାକୁ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ୍ ପଲ୍ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ଜେନା ମୁଖ୍ୟ ଅତିଥି, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହାଛଡ଼ା କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ହୃୃଦୟ ରଞ୍ଜନ ବେହେରା, କ୍ରୀଡ଼ା ବିଭାଗ ସ୍ୱତନ୍ତ୍ର ଅଧିକାରୀ ଶୁଭେନ୍ଦୁ ପଣ୍ଡା ଓ ଫାଓ ସଦସ୍ୟ ଗଙ୍ଗାଧର ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରତିଯୋଗିତାରେ ଡେଭଲପ୍‌ମେଣ୍ଟାଲ୍ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଓଡ଼ିଶା ପୁଲିସ୍ ପ୍ରତିପକ୍ଷ ଅଣ୍ଡର୍‌-୧୮ ଓଡ଼ିଶା ଟିମ୍‌କୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା।

ଉକ୍ତ ଗୋଲ୍‌ଗୁଡ଼ିକ ମଧ୍ୟରୁ ଜସମଣି ସମଦ୍ ୨ଟି ଏବଂ ପ୍ୟାରୀ ଖାକା, ସତ୍ୟବତୀ ଖାଡ଼ିଆ ଓ ଜବାବଣି ଟୁଡୁ ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ। ସୂଚନାଯୋଗ୍ୟ ଯେ ଚାମ୍ପିଅନ୍ ଓ ରନର୍ସଅପ୍ ଟିମ୍ ଏଆଇଏଫ୍‌ଏଫ୍ ପକ୍ଷରୁ ଆୟୋଜିତ ହୋଇଆସୁଥିବା ଇଣ୍ଡିଆ ୱିମେନ୍ସ ଲିଗ୍‌ରେ ଖେଳିବା ସକାଶେ ଯୋଗ୍ୟତା ପାଇଛନ୍ତି।