ଆଇପିଏଲ୍‌-୧୫: ମାଲିଙ୍ଗା ରାଜସ୍ଥାନ ବୋଲିଂ କୋଚ୍‌

ମୁମ୍ବାଇ,ଏଜେନ୍ସି: ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଆଗାମୀ ୨୬ ତାରିଖରୁ ଆରମ୍ଭ ହେଉଥିବା ବେଳେ ଅନ୍ୟତମ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ପେସର୍ ତଥା ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗାଙ୍କୁ ପେସ୍ ବୋଲିଂ କୋଚ୍ ଭାବେ ନିଯୁକ୍ତି ଦେଇଛି। ଏହାଛଡ଼ା ପ୍ୟାଡି ଉପଟନ୍‌ଙ୍କୁ ଫ୍ରାଞ୍ଚାଇଜି ଟିମ୍ କାଟାଲିଷ୍ଟ୍ ଭାବେ ନିଯୁକ୍ତି ଦେଇଥିବା ନେଇ ସୂଚନା ଦେଇଛି।

ଶ୍ରୀଲଙ୍କା ପାଇଁ ୩ଟି ଫର୍ମାଟ୍‌ରେ ମାଲିଙ୍ଗା ୩୪୦ ମ୍ୟାଚ୍ ଖେଳି ୫୪୬ଟି ୱିକେଟ୍ ନେଇଛନ୍ତି। ଏହାଛଡ଼ା ମାଲିଙ୍ଗା ୫ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ପକ୍ଷରୁ ମଧ୍ୟ ୧୨୨ଟି ମ୍ୟାଚ୍ ଖେଳି ୧୭୦ଟି ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାର ପ୍ୟାଡି ପ୍ରଥମେ ଗତ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଓ ପରେ ୨୦୧୯ରେ ରାଜସ୍ଥାନ ପାଇଁ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଥିଲେ।

ଏଥିସହ ପ୍ୟାଡି ଏହି ଫ୍ରାଞ୍ଚାଇଜିକୁ ନୂଆ ଭୂମିକା ନେଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତବର୍ଷ ପରି ଶ୍ରୀଲଙ୍କାର ବ୍ୟାଟିଂ ଲିଜେଣ୍ଡ୍ କୁମାର ସାଙ୍ଗାକାରା ୨୦୨୨ ସିଜନ୍‌ରେ ବି ଦଳର ମୁଖ୍ୟ କୋଚ୍ ଦାୟିତ୍ୱରେ ରହିବେ। ଏହାଛଡ଼ା ସେ ଆଇପିଏଲ୍ ପରେ ଡାଇରେକ୍ଟର ଅଫ୍ କ୍ରିକେଟ୍ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।