ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ଏଠାରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ପରବର୍ତ୍ତୀ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବ। ପୂର୍ବରୁ ଘରୋଇ ଭାରତ ମହିଳା ବିଭାଗରେ ଏଠାରେ ସ୍ପେନ୍ ବିପକ୍ଷ ମ୍ୟାଚ୍ରେ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ବରଣ କରିଥିବା ବେଳେ ଏଥର ଜର୍ମାନୀ ବିପକ୍ଷରେ ଲଢ଼ିବ। ଏହି ଡବଲ୍ ହେଡର୍ର ପ୍ରଥମ ମ୍ୟାଚ୍ଟି ଶନିବାର ଅପରାହ୍ଣ ୫ଟା ଓ ଦ୍ୱିତୀୟଟି ରବିବାର ସମାନ ସମୟରେ ଏଠାକାର ହକି କମ୍ପେ୍ଲକ୍ସଠାରେ ଖେଳାଯିବ।
ଏହି ମ୍ୟାଚ୍ ସକାଶେ ଉଭୟ ଦଳ ଏଠାରେ ଭରପୂର ଅଭ୍ୟାସ କରିଥିବା ବେଳେ ଏନେଇ ଭାରତୀୟ ଦଳର ଅଧିନାୟିକା ସବିତା କହିଛନ୍ତି ଯେ ସ୍ପେନ୍ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଆମେ ଏକାଧିକ ତ୍ରୁଟି କରିଥିଲୁ। ତେଣୁ ଆମକୁ ଏହାର ଫଳ ଭୋଗିବାକୁ ପଡ଼ିଲା। ଗତ କିଛି ଦିନ ଭିତରେ ଆମେ ଏହି ତ୍ରୁଟିରେ ସୁଧାର ଆଣିବାରେ ସକ୍ଷମ ହୋଇଛୁ। ଜର୍ମାନୀ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ କିପରି ଅଧିକରୁ ଅଧିକ ଆକ୍ରମଣ କରାଯାଇପାରିବ, ତା’ ଉପରେ ରଣନୀତି ପ୍ରସ୍ତୁତ କରିଛୁ। ବିଶେଷକରି ପେନାଲ୍ଟି କର୍ଣ୍ଣର୍କୁ ଗୋଲରେ ପରିଣତ କରିବା ସହ ପ୍ରତିପକ୍ଷ ପେନାଲ୍ଟି କର୍ଣ୍ଣର୍କୁ ରୋକିବା ଉପରେ ଆମେ ଫୋକସ୍ କରିଥିବା ସବିତା କହିଛନ୍ତି।
ଶେଷ ଥର ପାଇଁ ଦୁଇ ଦଳ ମଧ୍ୟରେ ଗତବର୍ଷର ଟୋକିଓ ଅଲିମ୍ପିକ୍ସରେ ମୁକାବିଲା ହୋଇଥିଲା। ଉକ୍ତ ମ୍ୟାଚ୍ରେ ଭାରତକୁ ୦-୨ରେ ପରାସ୍ତ ହେବାକୁ ପଡ଼ିଥିଲା। ସେହିପରି ଗତ ୨୦୦୬ଠାରୁ ସେମାନଙ୍କ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ମାତ୍ର ଗୋଟିଏରେ ବିଜୟୀ ହୋଇଛି। ତେଣୁ ଶନିବାର ମୁକାବିଲା ପୂର୍ବରୁ ବିଶ୍ୱର ୫ ନମ୍ବର ଦଳ ଜର୍ମାନୀର ଭଲା ବେଶ୍ ଭାରୀ ରହିଛି ବୋଲି କୁହାଯାଇପାରିବ।
ନିକଟରେ ଅନେକ ଶକ୍ତିଶାଳୀ ଦେଶ ସହ ଭାରତ ଖେଳିଛି ଓ ସେଥିରୁ ଅନେକ କିଛି ଶିଖିଛି। ଏହି ଶିକ୍ଷାର ଉପଯୋଗ ଶନିବାର ଓ ରବିବାର ମ୍ୟାଚ୍ରେ ଆମେ କରିବୁ ବୋଲି ସବିତା କହିଛନ୍ତି। ସେହିପରି ସ୍ଥାନୀୟ ଖେଳାଳି ତଥା ଦଳର ଉପଅଧିନାୟିକା ଦୀପ୍ଗ୍ରେସ୍ ଏକ୍କା ମ୍ୟାଚ୍ ପୂର୍ବରୁ ଫିଟ୍ନେସ୍ ଲେବଲ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ପ୍ରୋ ଲିଗ୍ରେ ଜର୍ମାନୀ ଗତବର୍ଷ ଅକ୍ଟୋବରରେ ବେଲଜିୟମ୍ ବିପକ୍ଷରେ ଦୁଇଟିଯାକ ମ୍ୟାଚ୍ରେ ପରାସ୍ତ ହୋଇଛି।