ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ଆଉ ୨ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଚଳିତ ଜାତୀୟ କ୍ରୀଡ଼ାରେ ରବିବାର (ତୃତୀୟ ଦିନ) ଓଡ଼ିଶାକୁ ୫ ପଦକ ମିଳିଛି। ଏଥିରେ ୨ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ରହିଛି। ଜିମ୍ନାଷ୍ଟ ର‌ାକେଶ ପାତ୍ର ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିଲା ବେଳେ ରୋଇଂରେ ୩ ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ମିଳିଥିଲା। ଏକ ମାତ୍ର କାଂସ୍ୟଟି ଅସିଚାଳନା ପୁରୁଷ ଫଏଲ ଦଳ ପାଇଥିଲା। ଏହି ୫ ପଦକ ସହ ଓଡ଼ିଶାର ମୋଟ ସଂଖ୍ୟା ୯ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି।

ଜିମ୍ନାଷ୍ଟ ରାକେଶ ପାତ୍ର ଷ୍ଟିଲ୍‌ ରିଙ୍ଗ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଏହା ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଥିଲା। ସେ ୧୩.୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ଉତ୍ତର ପ୍ରଦେଶର ଆ‌ଦିତ୍ୟ ସିଂହ ରାଣା (୧୨.୭୫ ପଏଣ୍ଟ୍‌) ଏବଂ ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି)ର ଗୌରବ କୁମାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଜିମ୍ନାଷ୍ଟିକ୍ସରେ ଓଡ଼ିଶାରୁ ୬ ଜଣ ଭାଗନେଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ରାକେଶ, ତପନ ମହାନ୍ତି, ତପେଶ୍ବର ନାଥ ଦାସ ଫାଇନାଲ୍‌ରେ ପହଞ୍ଚିଥିଲେ। କେବଳ ରାକେଶ ପଦକ ଜିତିଥିଲା ବେଳେ ତପନ ପାରାଲେଲ ବାର୍‌ରେ ଷଷ୍ଠ ଏବଂ ତପେଶ୍ବର ଫ୍ଲୋର ଏକ୍ସରସାଇଜ୍‌ରେ ଷଷ୍ଠ ଏବଂ ଷ୍ଟିଲ୍‌ ରିଙ୍ଗ୍‌ରେ ଅଷ୍ଟମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ରାକେଶଙ୍କ ଏହି ସଫଳତାରେ ତାଙ୍କ ପିଲା ବେଳର ପ୍ରଶିକ୍ଷକ ଅଶୋକ ମିଶ୍ର, ଓଡ଼ିଶା ପ୍ରଶିକ୍ଷକ ଅଶ୍ବିନ ସାମନ୍ତରାୟଙ୍କ ଅବଦାନ ରହିଛି। ତାଙ୍କ ଦାଦା ପୂର୍ବତନ ଜାତୀୟ ସ୍ବର୍ଣ୍ଣ ବିଜେତା ଶୁଭେନ୍ଦ୍ର କୁମାର ପାତ୍ର ଓ ପ୍ରଦୀପ ସାହୁଙ୍କ ଜିଏଫ୍‌ଆଇ ପକ୍ଷରୁ ଚଳିତ ଜାତୀୟ କ୍ରୀଡ଼ା ପୁରୁଷ ଆର୍ଟିଷ୍ଟ ଜିମ୍ନାଷ୍ଟିକ୍ସରେ ଜଜ୍‌ ରହିଛନ୍ତି। ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିବା ରାକେଶଙ୍କୁ ଓଡ଼ିଶା ଜମ୍ନାଷ୍ଟିକ୍ସ ସଂଘର ସମ୍ପାଦକ ଅଶୋକ ସାହୁ ଅଭିନନ୍ଦନ ଜଣାଇଛନ୍ତି।