ଜାତୀୟ ରେଡକ୍ରସରେ ଓଡ଼ିଶା ରେଡକ୍ରସର ବିରଳ କୃତିତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏଜେନ୍ସି: ଭାରତୀୟ ରେଡକ୍ରସ ସୋସାଇଟିର ବାର୍ଷିକ ସାଧାରଣ ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ଓଡ଼ିଶାର ସମ୍ମାନିତ ସଚିବ ସିଟିଏମ ସୁଗୁଣା ଯୋଗଦେଇ ରାଜ୍ୟରେ କ୍ରିୟାଶୀଳ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ଭାରତୀୟ ରେଡକ୍ରସ ସୋସାଇଟିର ସହଯୋଗକୁ ବର୍ଣ୍ଣନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜାତୀୟ ସ୍ତରରେ ରେକର୍ଡ ସଂଖ୍ୟକ ୭ଟି ପୁରସ୍କାର ଗ୍ରହଣ କରି ବିରଳ କୃତିତ୍ୱ ହାସଲ କରିଛି।

ସର୍ବାଧିକ ରକ୍ତଦାନ କ୍ଷେତ୍ରରେ ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ନିମନ୍ତେ ତଥା ସର୍ବାଧିକ ରକ୍ତ ସଂଗ୍ରହ କ୍ଷେତ୍ରରେ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ନିମନ୍ତେ ଶ୍ରେଷ୍ଠ ରାଜ୍ୟ ଶାଖା ଭାବରେ ଓଡିଶା ସମ୍ମାନିତ ହୋଇଛି। ଏତଦ୍ ବ୍ୟତୀତ ବ୍ୟକ୍ତିଗତ ସଫଳତା ନିମନ୍ତେ ସ୍ୱେଚ୍ଛାସେବୀ ଗୀତାଞ୍ଜଳି ପଣ୍ଡା ଓ ମାଲକାନଗିରି ଯୁବ ରେଡକ୍ରସ ପରାମର୍ଶଦାତା ଡ. ରଞ୍ଜନ କୁମାର ସ୍ୱାଇଁଙ୍କୁ ଜାତୀୟ ରେଡକ୍ରସ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ସଫଳତା ନିମନ୍ତେ ସମସ୍ତ ସ୍ୱେଚ୍ଛାସେବୀ ତଥା ଯୁବ ରେଡକ୍ରସ, କନିଷ୍ଠ ରେଡକ୍ରସର ସମସ୍ତ କର୍ମକର୍ତ୍ତା, କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ ସିଟିଏମ ସୁଗୁଣା ସାଧୁବାଦ ଜଣାଇଛନ୍ତି।