ଆସନ୍ତା ବର୍ଷ କଟକରେ ଓଡ଼ିଶା ଓପନ୍-୧୦୦

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ବର୍ଷ କଟକରେ ଅନୁଷ୍ଠିତ ହେବ ଓଡ଼ିଶା ଓପନ୍ ସୁପର୍ ୧୦୦ ଟୁର୍ଣ୍ଣାମେଣ୍ଟ୍। ଜାନୁଆରୀ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘ (ବିଡବ୍‌ଲ୍ୟୁଏଫ୍‌) ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଶୀର୍ଷ ସ୍ଥାନୀୟ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ୍‌ଟି ବିଡବ୍‌ଲ୍ୟୁଏଫ୍‌ର ନିମ୍ନସ୍ତରୀୟ ଟୁର୍ ଇଭେଣ୍ଟ୍ ହୋଇଥିବା ବେଳେ ପୂର୍ବରୁ ଏହା ହାଇଦ୍ରାବାଦ ମାଷ୍ଟର୍ସ ସୁପର୍ ୧୦୦ ନାମରେ ହାଇଦ୍ରାବାଦଠାରେ ଖେଳାଯାଉଥିଲା। ତେବେ ଏହି ଟୁର୍ଣ୍ଣାମେଣ୍ଟ୍‌ର ନାମ ପରିବର୍ତ୍ତନ କରାଯିବା ସହ ଭେନ୍ୟୁ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ବାଇ) ଏହାକୁ ଓଡ଼ିଶାରେ ଆୟୋଜନ କରିବା ସକାଶେ ନିଷ୍ପତ୍ତି ନେଇଛି। ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍‌ର ସଂସ୍କରଣଟି କୋଭିଡ୍ ସଂକ୍ରମଣ ଯୋଗୁଁ ଆୟୋଜିତ ହୋଇ ନଥିଲା। ତେଣୁ ଶେଷ ଥର ପାଇଁ ଏହା ଗତ ୨୦୧୯ରେ ଖେଳାଯାଇଥିଲା। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ୍ ଓଡ଼ିଶାରେ ଆୟୋଜନ କରିବା ସକାଶେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଟିମ୍‌ର କୋଚ୍ ପି. ଗୋପୀଚାନ୍ଦ ପ୍ରସ୍ତାବ ଦେଇଥିଲେ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଥିଲେ।

ଓଡ଼ିଶା କ୍ରମଶଃ ଅନ୍ତର୍ଜାତୀୟ କ୍ରୀଡ଼ା ଜଗତ ପାଇଁ ଚିରପରିଚିତ ଭେନ୍ୟୁ ପାଲଟୁଥିବା ବେଳେ ଏଥିରେ ଏବେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏନେଇ ବାଇ ସମ୍ପାଦକ ଅଜୟ ସିଙ୍ଘାନିଆ କହିଛନ୍ତି ଯେ ପୂର୍ବରୁ ହାଇଦ୍ରାବାଦରେ ଏହି ଟୁର୍ଣ୍ଣାମେଣ୍ଟ୍‌ର ପରିଚାଳନା ଦାୟିତ୍ୱ ଗୋପୀଚାନ୍ଦ ନେଇଆସିଛନ୍ତି। ଏବେ ଓଡ଼ିଶା ସରକାର ଏହାକୁ ଆସନ୍ତା ବର୍ଷଠାରୁ ଆୟୋଜନ କରିବା ସକାଶେ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଏହି ଟୁର୍ଣ୍ଣାମେଣ୍ଟ୍‌ଟି ଓଡ଼ିଶାରେ ଆୟୋଜିତ ହେବା ଦିଗରେ ନିଷ୍ପତ୍ତି ନିଆଯାଇଥିବାରୁ ଓଡ଼ିଶା ସରକାର ଏନେଇ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ଗୁରୁବାର ୨୦୨୨ ଇଭେଣ୍ଟ୍ କ୍ୟାଲେଣ୍ଡର୍ ଘୋଷଣା ଅବସରରେ ସିଙ୍ଘାନିଆ କହିଛନ୍ତି। ସେହିପରି ଏହି ଟୁର୍ଣ୍ଣାମେଣ୍ଟ୍‌ଟି ଆସନ୍ତା ବର୍ଷ କଟକର ଜବାହରଲାଲ୍ ନେହରୁ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିଲେ ହେଁ ୨୦୨୩ଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ନିୟମିତ ଭାବେ ଖେଳାଯିବ। କାରଣ ୧ ଲକ୍ଷ ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ୍ ଖେଳାଯିବା ସକାଶେ ୮ଟି କୋର୍ଟର ଆବଶ୍ୟକତା ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍‌ରେ ଭିତ୍ତିଭୂମି ମହଜୁଦ ଥିବାରୁ ଏହାକୁ ସ୍ଥାୟୀ ଭାବେ ଏଠାରେ କରାଯିବା ସକାଶେ ନିଷ୍ପତ୍ତି ହୋଇଥିବା ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ସଂଘ (ବିଏଓ) ପକ୍ଷରୁ ସମ୍ପାଦକ ମିଲନ୍ କୁମାର କହିଛନ୍ତି।
ସେହିପରି ଆସନ୍ତା ବର୍ଷ ଇଣ୍ଡିଆ ଓପନ୍ ସୁପର୍ ୫୦୦ ଓ ସୟଦ୍ ମୋଦୀ ଇଣ୍ଟରନ୍ୟାସନାଲ୍ ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ଖେଳାଯିବ । ଇଣ୍ଡିଆ ଓପନ୍ ଗତବର୍ଷ କୋଭିଡ୍ ସଂକ୍ରମଣ କାରଣରୁ ବାତିଲ୍ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟ୍ ସହ ବିଡବ୍‌ଲ୍ୟୁଏଫ୍ ୨୦୨୨ ସିଜନ୍ ଆରମ୍ଭ କରିବ। ଏହି ସଂସ୍କରଣଟି ଆସନ୍ତା ବର୍ଷ ଜାନୁଆରୀ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ସୟଦ୍ ମୋଦୀ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ୍ ଜାନୁଆରୀ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ।