ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୬୫ କରୋନା ରୋଗୀ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩୬୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୬ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୫୩ ରହିଛି। ଅନ୍ୟପଟେ ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୪, ମୟୂରଭଞ୍ଜରୁ ୨୩ ଓ କେନ୍ଦ୍ରାପଡ଼ାରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ବର ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୨୭ ହଜାର ୬୫୪ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୪ ହଜାର ୫୬୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୮,୩୨୫ ଜଣଙ୍କର ମୃତ୍ୟୁ ହୋଇସାରିଛି।