ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ କୁଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା ନାହିଁ। ତେବେ ଏହା ସହ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହିତ ଏହି ସମୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବାର ପୂର୍ବାନୁମାନ କରାଯାଇଛି।

ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ରାତି ସମୟରେ ତାପମାତ୍ରାରେ ପରିବର୍ତ୍ତନ ଆସୁଥିବା ବେଳେ ଏବେ ଆଗାମୀ ୩ ରୁ ୪ ଦିନ ଏଥିରେ କୌଣସି ପରିବର୍ତ୍ତନ ନଆସିପାରେ। ଏବେ ପାଗ ମେଘୁଆ ରହିବା ପୂର୍ବାନୁମାନ କରାଯାଇଥିବାବେଳେ ଏହା ପରେ ତାପମାତ୍ରା କମିବାର ପୂର୍ବାନୁମାନ କରାଯାଇଛି।