ଜାତୀୟ ଜୁନିୟର୍ ପୁରୁଷ ହକି, ରାଜସ୍ଥାନକୁ ହରାଇ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ତାମିଲନାଡ଼ୁର କୋଭିଲ୍‌ପଟ୍ଟିଠାରେ ଚାଲିଥିବା ଦ୍ୱାଦଶ ହକି ଇଣ୍ଡିଆ ଜାତୀୟ ଜୁନିୟର୍ ପୁରୁଷ ଚାମ୍ପିଅନ୍‌ଶିପ୍‌ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରତିଯୋଗିତାର ତୃତୀୟ ଦିନରେ ଗୁରୁବାର ରାଜସ୍ଥାନକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଦୀପକ ମିଞ୍ଜ୍ ଓ ଅଧିନାୟକ ଲବନ୍ ଲୁଗୁନ୍ ୨ଟି ଲେଖାଏଁ ଗୋଲ୍ ଦେଇଥିଲେ।

୨୪ତମ ମିନିଟ୍‌ରେ ଦୀପକ ପ୍ରଥମ ଗୋଲ୍ ଦେବା ପରେ ୩୩ତମ ଓ ୪୦ତମ ମିନିଟ୍‌ରେ ଲୁଗୁନ୍ ଦଳ ପକ୍ଷରୁ ଦ୍ୱିତୀୟ ଓ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ। ସେହିପରି ୩୪ତମ ମିନିଟ୍‌ରେ ରୋସନ୍ କୁଜୁର୍ ଦଳ ପାଇଁ ତୃତୀୟ ଗୋଲ୍ ଦେଇଥିବା ବେଳେ ଦୀପକ ୪୫ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ପୁଡୁଚେରୀ ବିପକ୍ଷରେ ଖେଳିବ।