‘ଏଫ୍‌ଆଇଏଚ୍ ହକି ପ୍ରୋ’ ଲିଗ୍ ପାଇଁ ଭାରତୀୟ ପୁରୁଷ ଦଳ ଘୋଷିତ: ଅଧିନାୟକ ରହିଲେ ରୋହିଦାସ, ଶିଳାନନ୍ଦ ସାମିଲ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଯେବଲ୍ ଟପ୍ପର୍ ଭାରତୀୟ ପୁରୁଷ ଦଳ ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଜୁନ୍ ୧୧ ଓ ୧୨ ତାରିଖରେ ବେଲ୍‌ଜିୟମ୍‌କୁ ଆଣ୍ଟୱର୍ପଠାରେ ଭେଟିବ। ଏହାପରେ ଦଳ ଜୁନ୍ ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ୍‌ସ ବିପକ୍ଷରେ ମଧ୍ୟ ଭାରତ ରୋଟ୍ଟରଡାମ୍‌ଠାରେ ମ୍ୟାଚ୍ ଖେଳିବ। ଏହି ଦୁଇଟି ଟିମ୍ ବିପକ୍ଷ ମୁକାବିଲା ପାଇଁ ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୦ଜଣିଆ ଦଳ ଘୋଷଣା କରାଯାଇଛି।

ଏହି ଦଳର ଅଧିନାୟକ ପଦ ପ୍ରମୁଖ ଓଡ଼ିଆ ଡିଫେଣ୍ଡର୍ ଅମିତ୍ ରୋହିଦାସ ବଜାୟ ରଖିଥିବା ବେଳେ ଦଳରେ ଅନ୍ୟତମ ଓଡ଼ିଆ ଭାବେ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ସେହିପରି ପ୍ରମୁଖ ଡିଫେଣ୍ଡର୍ ହରମନ୍‌ପ୍ରୀତ୍ ସିଂହ ଉପଅଧିନାୟକ ପଦ ମଧ୍ୟ ବଜାୟ ରଖିଛନ୍ତି। ଟିମ୍ ଚୟନ ସମ୍ପର୍କରେ ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ଯେ ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ର ଆଗାମୀ ମ୍ୟାଚ୍‌ଗୁଡ଼ିକ ବିଶେଷ ଗୁରୁତ୍ୱ ବହନ କରେ।

ବିଶ୍ୱର ଦୁଇ ଶୀର୍ଷ ସ୍ଥାନୀୟ ଦଳକୁ ଭାରତ ସେମାନଙ୍କ ଘରୋଇ ମାଟିରେ ଭେଟିବାକୁ ଯାଉଛି। ଘରୋଇ ମାଟିରେ ଦଳର ଉନ୍ନତ ପ୍ରଦର୍ଶନକୁ ବିଦେଶ ମାଟିରେ ବି କାଏମ ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର୍‌ଠାରେ ପ୍ରଶିକ୍ଷଣ ଶିବିର ସମୟରେ ବିଗତ ପ୍ରୋ ଲିଗ୍ ମ୍ୟାଚ୍‌ଗୁଡ଼ିକରେ କ’ଣସବୁ ଭୁଲ୍‌ଭଟକା ରହିଥିଲା, ତା’ର ତର୍ଜମା କରାଯିବା ସହ ୟୁରୋପରେ ଦମ୍‌ଦାର ପ୍ରଦର୍ଶନ ଉପରେ ଫୋକସ୍ କରାଯାଇଛି। ଚୟନ ହୋଇଥିବା ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। ପ୍ରତିଟି ଖେଳାଳିଙ୍କ ପାଖରେ ପ୍ରୋ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରହିଛି। ସେମାନେ ଏହି ଅଭିଜ୍ଞତାର ଉପଯୋଗ ପୂର୍ବକ ବେଲ୍‌ଜିୟମ୍ ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ରିଡ୍ ଆଶା ପ୍ରକାଶ କରିଛନ୍ତି।