ଝାରସୁଗୁଡ଼ାରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ: ଯାନବାହାନ ଚଳାଚଳ ବନ୍ଦ, ଦୋକାନ ବଜାର ଖୋଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶରେ ତୈଳ, ରନ୍ଧନ ଗ୍ୟାସ, ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଝାରସୁଗୁଡାରେ ମଧ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକ, ବେଲପାହାଡର ମହିମା ଛକ, ବନ୍ଧବାହଲର ଡେଲି ମାର୍କେଟ ପରି ବିଭିନ୍ନ ସ୍ଥାନରେ ବାମପନ୍ଥୀ ଏବଂ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହାସହ ଜାତୀୟ ରାଜପଥ ତଥା ରାଜ୍ୟ ରାଜପଥ ଉପରେ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଛି। ଏହାସହ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଉଟି ସାମଗ୍ରୀ ତଥା ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଅହେତୁକ ଭାବରେ ବୃଦ୍ଧି ହେଉଛି। ବର୍ତ୍ତମାନ ଦେଶରେ ଡିଜେଲ ଦର ଓ ପେଟ୍ରୋଲ ଦର ଉଭୟ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଥିବାବେଳେ ଖାଉଟି ସାମଗ୍ରୀର ଦରଦାମ ମଧ୍ୟ ଆକାଶ ଛୁଆଁ ରହିଛି।

ଆଗାମୀ ଦିନରେ ଏହା ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ, ଖାଉଟି ସାମଗ୍ରୀର ଦରଦାମକୁ ହ୍ରାସ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ବାମପନ୍ଥୀ ଓ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।