ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ: ଉଦଘାଟନ କଲେ ୧୫୦୦ କୋଟିର ପ୍ରକଳ୍ପ

ବାରାଣସୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀକୁ ଦିନିକିଆ ଗସ୍ତ କରିବା ସହିତ ଏଠାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ୧୫୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଡାଲିଆଠାରେ ବହୁସ୍ତରୀୟ ପାର୍କିଂ ସ୍ଥଳ, ପର୍ଯ୍ୟଟନର ବିକାଶ ନିମନ୍ତେ ରୋ-ରୋ ଭେସେଲ, ବାରାଣସୀ-ଘାଜିପୁର ରାଜପଥରେ ତିନିଲେନ ବିଶିଷ୍ଟ ଫ୍ଲାଇସଭର ବ୍ରିଜ ଆଦି ଉଦଘାଟନ କରିଛନ୍ତି। ଏଥିସହିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସପିଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କାଶୀ ଆମକୁ ଏହା ଦେଖାଇଛି ଯେ ଏହା କେବେ ଅଟକିଯିବ ନାହିଁ କିମ୍ବା କ୍ଲାନ୍ତ ହେବନାହିଁ। ଏପରି ଜଟିଳ ସମୟରେ ମଧ୍ୟ ଏହା ଆଗକୁ ବଢିଚାଲିବ। ଗତ କିଛିମାସ ସମୁଦାୟ ମାନବ ଜାତି ପାଇଁ ଅତ୍ୟନ୍ତ ଜଟିଳ ସମୟ ହୋଇରହିଛି। କିନ୍ତୁ କାଶୀ ସମେତ ସମୁଦାୟ ଉତ୍ତର ପ୍ରଦେଶରେ କରୋନା ଭୂତାଣୁର ପରିବର୍ତ୍ତିତ ପ୍ରକରଣ ଦେଖିବାକୁ ମିଳିଛି ଏବଂ ଏହା କେତେ ଭୟଙ୍କର ତାହା ମଧ୍ୟ ସମସ୍ତେ ଦେଖିସାରିଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ ଅଧୀନରେ କାଶୀ ସମଗ୍ର ବିଶ୍ୱରେ ଏକ ନୂଆ ପରିଚୟ ହାସଲ କରିଛି। ନୂତନ କାଶୀ ବିକାଶ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଏହି ସ୍ମାର୍ଟ କାଶୀ ସଂପ୍ରତି ସମଗ୍ର ଭାରତ ଓ ବିଶ୍ୱ ପାଇଁ ଏକ ମଡେଲ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ପ୍ରେରଣା ଜନସାଧାରଣଙ୍କୁ ନୂତନ ଶିଖର ଛୁଇଁବାକୁ ପ୍ରେରିତ କରୁଛି।