ଓଡିଶା – ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି: ସୀମାରେ ସ୍ଥିତି ଅନୁଧ୍ୟାନ କଲେ ଏସପି

ନୂଆପଡ଼ା,ଏନ୍ଏନ୍ଏସ୍: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଖରିଆର ରୋଡ଼ ଜୋଙ୍କ ନିକଟରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି। ଆଜି ମଧ୍ୟାହ୍ନରେ ଏସପି ରାହୁଲ ଜୈନ ସୀମାନ୍ତରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ଜୈନ ଖରିଆରରୋଡ଼ ରେଲୱେ ଫାଟକ ନିକଟରେ ପହଞ୍ଚି ସୀମାନ୍ତ ଚେକ ପୋଷ୍ଟ ଓ ଯାଞ୍ଚ ପ୍ରକ୍ରିୟାକୁ ତଦାରଖ କରିଥିଲେ। ଚେକ ପୋଷ୍ଟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଣ୍ଟିଜେନ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାକୁ ଯେଉଁ ଗାଡ଼ି ଆସିବ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ନଚେତ ଓଡ଼ିଶାକୁ ପ୍ରବେଶ କରିବ ନାହିଁ । ଓଡ଼ିଶାରେ ପ୍ରବେଶ ପାଇଁ ୨ଟି ଡୋଜ ଟିକା ନେଇଥିବା ପ୍ରମାଣ ମଧ୍ୟ ଦେଖାଇବାକୁ ପଡ଼ିବ। ଓଡ଼ିଶା ଆସିବା ନିତାନ୍ତ ଜରୁରୀ ଥିଲେ ୭ଦିନ ଗୃହ ସଂଗରୋଧରେ ରହିବାକୁ ପଡ଼ିବ ବୋଲି କହିଥିଲେ। ଏବେ ଅନ୍ତଃରାଜ୍ୟ ବସ ଓ ଆତ୍ୟବଶ୍ୟକ ସାମଗ୍ରୀ ଗାଡ଼ି ଚାଳଚଳ ବନ୍ଦ ରହିଛି । ସୀମାନ୍ତ ଛତିଶଗଡର କିଛି ଲୋକେ ଖରୀଆରରୋଡ଼ ସହର ଉପରେ ଜୀବନ ଜୀବିକା ପାଇଁ ନିର୍ଭର କରୁଥିବାରୁ ସେମାନଙ୍କୁ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପରୀକ୍ଷା କରି ଏକ ପ୍ରମାଣ ପତ୍ର ପ୍ରଦାନ କରାଯିବ ଓ ସେହି ପ୍ରମାଣପତ୍ର ଜରିଆରେ ନିର୍ଦ୍ଧାରିତ ସମୟରେ ସୀମା ମଧ୍ୟରେ ରୋଜଗାର କରି ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି । ଛତିଶଗଡ଼ର ସୀମାନ୍ତ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କୋଭିଡ ଗାଇଡଲାଇନକୁ ଅବମାନନା କଲେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ଜୈନ କହିଥିଲେ । ଏହି ସମୟରେ ଅତିରିକ୍ତ ଏସପି ସୁନୀଲ ଆଚାର୍ୟ୍ୟ, ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଡିଆଇଭି ଡିଏସପି ମିତ୍ରଭାନୁ କିଷାନ ଜୋ ଓ ଆଇଆଇସି ଅନିରୂଧ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।