ନେଦରଲ୍ୟାଣ୍ଡରେ ଓଡ଼ିଆ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ଶବ ଆଣିବାକୁ ସହାୟତା କଲେ ବବି ଦାସ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ନୂଆଗାଁ(ଶର୍ବଣା) ଗ୍ରାମର ପ୍ରଫୁଲ୍ଲ କୁମାର ଦାସଙ୍କ ପୁଅ ଲଳିତ କୁମାର ଦାସ(୩୬)ଙ୍କର ନେଦରଲ୍ୟାଣ୍ଡ ଦେଶରେ ଆକାଳ ବିୟୋଗ ହୋଇଛି। ତାଙ୍କର ପାର୍ଥିବ ଶରୀରକୁ ଜନ୍ମମାଟି ମୟୂରଭଞ୍ଜକୁ ଫେରାଇ ଆଣିବା ନିମନ୍ତେ ପରିବାରର ସଦସ୍ୟମାନଙ୍କର ସାମର୍ଥ୍ୟ ନ ଥିଲା। ଏହି ସମୟରେ ସହାୟତାର ହାତ ବଢ଼ାଇ ଆଗେଇ ଆସିଥିଲେ ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସଙ୍ଗଠନ ସମ୍ପାଦକ ବବି ଓରଫ୍ ପ୍ରଣବ ପ୍ରକାଶ ଦାସ। ସୂଚନା ଯୋଗ୍ୟ, ଯୁବ ଇଞ୍ଜିନିୟର ସ୍ୱର୍ଗତ ଦାସଙ୍କ ଶବକୁ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ମୋ ପରିବାର ସହାୟତାରେ ଲଳିତଙ୍କ ମରଶରୀରକୁ ତାଙ୍କର ପୈତୃକ ଗ୍ରାମକୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟବେକ୍ଷକ ତଥା ସଙ୍ଗଠନ ସମ୍ପାଦକ ଶ୍ରୀଦାସଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ ପରିବାରର ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ତଥା ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଆଜି ରାତିରେ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଳିତଙ୍କ ମରଶରୀରକୁ ଗ୍ରାମକୁ ଆଣିବା ନିମନ୍ତେ ଯାତ୍ରା କରିଛନ୍ତି। ବବି ଦାସ ଏବଂ ଓଡ଼ିଶା ମୋ ପରିବାରର ଏହି ମହତ୍ କାର୍ଯ୍ୟକୁ ଜନସାଧାରଣରେ ପ୍ରସଂଶା କରାଯାଉଛି।