କୋଣାର୍କରେ ପାଞ୍ଚ ଘଣ୍ଟା ରହିଲେ ରାଷ୍ଟ୍ରପତି, ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ

କୋଣାର୍କ, ଏନ୍ଏନ୍ଏସ୍: ସୋମବାର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପରିବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ପୁରୀରୁ ତିନୋଟି ସ୍ୱତନ୍ତ୍ର ହେଲିକାପ୍ଟରରେ ଦିନ୧୧ଟାରେ କୋଣାର୍କ ହେଲିପ୍ୟାଡରେ ପହଞ୍ଚିଥିଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ । ସୂର୍ଯ୍ୟମନ୍ଦିରରେ ପହଞ୍ଚିବା ପରେ ବ୍ୟାଟେରୀ ଚାଳିତ ଗାଡିରେ ରାଷ୍ଟ୍ରପତି, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିର ବୁଲିଥିଲେ। ମନ୍ଦିର ବୁଲି ସାରିବା ପରେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ୪୦ମିନିଟ ରହିଥିଲେ। ସେଠାରେ ତାଙ୍କୁ ପଇଡ ପିଇବାକୁ ଦିଆଯାଇଥିଲା। ବ୍ୟାଖ୍ୟାନ କେନ୍ଦ୍ରରେ ଦୃଶ୍ୟ-ଶ୍ରାବ୍ୟ ପ୍ରେକ୍ଷାଳୟରେ ୧୫ମିନିଟର କୋଣାର୍କ କାହାଣୀକୁ ଉପଭୋଗ କରିଥିଲେ। ସେଠାରୁ କାରକେଡରେ ଫେରିଥିଲେ ଯାତ୍ରୀନିବାସ। ଯାତ୍ରିନିବାସରେ ରହିଥିଲେ ୫ଘଂଟା।

ଯାତ୍ରିନିବାସରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା। ରାଷ୍ଟ୍ରପତିଙ୍କୁ ରୁଟି, ଡାଲି ଓ ସାଲାଡ ଦିଆଯାଇଥିଲା। ପତ୍ନୀ ଓ ସମ୍ପର୍କିୟଙ୍କୁ ପୋଟଳ କୁରୁମା, ପରିବା ସନ୍ତୁଳା, କଖାରୁ ଫୁଲ ପିଠଉ, ପୋସ୍ତ ବରା ସହିତ ଛେନା ପୋଡ ଓ ରସଗୋଲା ପରଷା ଯାଇଥିଲା। ପରେ ଯାତ୍ରୀନିବାସରେ ବିଶ୍ରାମ ନେଇଥିଲେ। ଅପରାହ୍ନ ୪ଟାରେ ରାଷ୍ଟ୍ରପତି ସପରିବାର କୋଣାର୍କ ହେଲିପ୍ୟାଡରୁ ସ୍ୱତନ୍ତ୍ର ହେଲିକାପ୍ଟରରେ ଫେରିଥିଲେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କେ ବିଶାଲ ସିଂ, ଅତିରିକ୍ତ ଡିଜି ଜଶବନ୍ତ ଜେଠୁଆ, ଏଏସଆଇ ସର୍କଲ ସୁପରିଟେଣ୍ଡାଣ୍ଟ ଅରୁଣ ମଲ୍ଲିକ, ନୟାଗଡ ଓ ଖୋର୍ଦ୍ଧ ଏସପି ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।