ନ୍ୟୁୟର୍କ ବାସୀ ଶୁଣିବେ ବଲାଙ୍ଗିରର ପ୍ରିୟବ୍ରତଙ୍କ ସଙ୍ଗୀତ

ସଇଁନ୍ତଳା,ଏନ୍ଏନ୍ଏସ୍: ଫିଲ୍ମ ନିର୍ଦ୍ଦେଶକ ତଥା ଷ୍ଟାରସେଫ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ‘ବାଇଣ୍ଡର’ ତରଫରୁ ନ୍ୟୁୟର୍କରେ ଆୟୋଜିତ ହେବାକୁ ଯାଉଥିବା ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକ‌ର’ ସଂଗୀତ କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ପ୍ରିୟବ୍ରତ ସାମିଲ ହେବାର ସୁଯୋଗ ପାଇଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ୟୁକେ, ୟୁଏସ, ୟୁରୋପ ଏବଂ ଆଫ୍ରିକାର ପ୍ରସନ୍ନ ଦେ, ଏବି ଭି, ସ୍ପାର୍ସ ସ, ବୈଜୁ ମଙ୍ଗେସକରଙ୍କ ଭଳି ୫୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତିକ ସଂଗୀତ କଳାକାରମାନେ ଭାଗନେବେ। ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ବଲାଙ୍ଗିରର ପୁଅ ପ୍ରିୟବ୍ରତ ସାମିଲ ହେଉଛନ୍ତି। ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଅବସରପ୍ରାପ୍ତ ଇଞ୍ଜିନିୟର ସୁଧୀର ପାଣିଗ୍ରାହୀ ଏବଂ କଳ୍ପନା ପାଣିଗ୍ରାହୀଙ୍କ ପୁଅ। ସେ ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଶିକ୍ଷା ଜୀବନ ଆରମ୍ଭ କରି ଜିଏମ କଲେଜରୁ ଯୁକ୍ତ ୨ ଶିକ୍ଷା ହାସଲ କରିଥିଲେ। ପରେ ଇଲେକ୍‌ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନରେ ବିଟେକ ଡିଗ୍ରୀ ହାସଲ କରି ଯାଜପୁରର ଏକ ଫେରୋକ୍ରମ କମ୍ପାନୀରେ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ। ପିଲାଟି ଦିନରୁ ସଂଗୀତ ପ୍ରତି ଥିବା ଇଚ୍ଛା ତାଙ୍କୁ କାମରେ ବେଶି ଦିନ ବାନ୍ଧିରଖି ପାରିଲାନାହିଁ। ୨୦୧୧ ମସିହାରେ ଚାକିରି ଛାଡ଼ି ସେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (ଏଫଟିଟିଆଇ)ରେ ସାଉଣ୍ଡ ରେକର୍ଡ଼ିଂ ଏବଂ ଡିଜାଇନିଂ ବିଷୟରେ ଶିକ୍ଷା ଗ୍ରହଣ କଲେ। ଶିକ୍ଷାଗ୍ରହଣ ପରେ ଲତା ମଙ୍ଗେସକରଙ୍କ ସ୍ୱରଲତା ଷ୍ଟୁଡିଓରେ କିଛି ଦିନ କାମ କରିଥିଲେ। ପରେ ସଞ୍ଜୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ୨୦୧୩ ମସିହାରେ ପ୍ରସ୍ତୁତ ହୋଇଥିବା ‘ଶୁଖା ଆସୁଛି’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାପରଠୁ ଦ’ ଲାଷ୍ଟ ରାଇଟ, ୱାର୍କ ଫ୍ରମ ହୋମ, ଦ ସନ ରାଇଜେସ ଇନ ଦ ଇଷ୍ଟ ଭଳି ଅନେକ ଆନ୍ତର୍ଜାତିକ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିପାଇଁ ତାଙ୍କୁ ପରବର୍ତ୍ତୀ ସମୟରେ ଅନେକ ଆନ୍ତର୍ଜାତିକ ସମ୍ମାନ ମିଳିଥିଲା। ୨୦୨୦ ମସିହାରେ ଫିଲ୍ମ ନିର୍ଦ୍ଦେଶକ ବିକାଶ ଖନ୍ନାଙ୍କ ଆନ୍ତର୍ଜାତିକ ଫିଲ୍ମ ‘ଦ ଲାଷ୍ଟ କଲର’ରେ ସେ କଣ୍ଠଦାନ କରିଥିଲେ। ଯାହା ପରବର୍ତ୍ତି ସମୟରେ ଓସ୍କାର ପାଇଁ ମନୋନୀତ ହୋଇଥିଲା। ଅଦ୍ୟାବଧି ପ୍ରିୟବ୍ରତ ମୁମ୍ବାଇରେ ରହିବା ସହ ୫ରୁ ଊର୍ଦ୍ଧ୍ୱ ହିନ୍ଦୀ(ବଲିଉଡ) ଏବଂ ଓଡ଼ିଆ (ଓଲିଉଡ) ଫିଲ୍ମରେ ସଂଗୀତ ନିର୍ଦ୍ଦେଶକ ଭାବରେ କାମ କରିସାରିଛନ୍ତି। ଯାହା କରୋନା ପାଇଁ ମୁକ୍ତିଲାଭ ଅପେକ୍ଷାରେ ରହିଛି।