ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ୱୀକାର କଲେ ସଚିନ ୱାଜେ

ମୁମ୍ବାଇ,ଏଜେନ୍ସି: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ମିଳିବା ଘଟଣାରେ ଗିରଫ ହୋଇଥିବା ମୁମ୍ବାଇ ପୁଲିସ ଅଧିକାରୀ ସଚିନ ୱାଜେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେ ସ୍କର୍ପିଓ ଭିତରେ ଧମକ ପତ୍ର ରଖିଥିବା ସ୍ୱୀକାର କରିଛନ୍ତି। ତେବେ ଏ ସମ୍ପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ପକ୍ଷରୁ ସୂଚନା ଦିଆଯାଇଛି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ଘର ବାହାରେ ଫେବୃଆରୀ ୨୫ ତାରିଖରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଗୋଟିଏ ସ୍କର୍ପିଓ ଗାଡ଼ି ଜବତ ହୋଇଥିଲା। ତେବେ ଏହି ଗାଡି ଥାନେର ବ୍ୟବସାୟୀ ମନସୁଖ ହିରେନଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା। ମନସୁଖଙ୍କ ଏହି ଗାଡି ସେ ଚୋରି ହୋଇଯାଇଥିବା କହିଥିବା ବେଳେ ଗତ ମାର୍ଚ୍ଚ ୫ ତାରିଖରେ ତାଙ୍କ ମୃତଦେହ ଏକ ନଦୀକୂଳରୁ ମିଳିଥିଲା। ପରେ ପୁଲିସ ଘଟଣାର ତଦନ୍ତ କରି ମୁମ୍ବାଇ ପୁଲିସର ଅଧିକାରୀ ସଚିନ ୱାଜେଙ୍କୁ ଗିରଫ କରିଥିଲା। ଏନଆଇଏର ପଚରାଉଚୁରା ସମୟରେ ୱାଜେ ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ୱୀକାର କରିଛନ୍ତି। ୱାଜେ ବର୍ତ୍ତମାନ ପୁଲିସ ହେପାଜତରେ ରହିଛନ୍ତି। ସେପଟେ ପୁଲିସ ମନସୁଖଙ୍କ ହତ୍ୟା ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।