ଏନପିଏସ୍ ସମୟସୀମା ୭୦ ବର୍ଷକୁ ବୃଦ୍ଧି

  • ନୂଆଦିଲ୍ଲୀ (ଏଜେନ୍ସି): ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ୍) ପାଇଁ ଅଧିକ ଆକର୍ଷଣୀୟ ପାଇଁ ପଦକ୍ଷେପ ନେଇଛି। ଏନପିଏସ୍ ସଂକ୍ରାନ୍ତ କେତେକ ନିୟମରେ ବଡ଼ଧରଣର ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ଏନପିଏସରେ ସାମିଲ ହେବା ଲାଗି ଉଦ୍ଦିଷ୍ଟ ବୟସସୀମାକୁ ୬୫ରୁ ୭୦ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥାତ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଲୋକେ ଏଥିରେ ସାମିଲ ହୋଇପାରିବେ। ପିଏଫଆରଡିଏ ଦ୍ୱାରା ସଂଶୋଧିତ ନିୟମକୁ ନେଇ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ଭାରତୀୟ ନାଗରିକ ଅଥବା ପ୍ରବାସୀ ଭାରତୀୟ ଏନପିଏସ୍ ସହ ଯୋଡ଼ି ହୋଇପାରିବେ। ସେମାନଙ୍କୁ ନାମାଙ୍କନ କରାଯାଇପାରିବ।
  • ଜାତୀୟ ପେନସନ ସ୍କିମ୍ କ’ଣ?
  • ଏନପିଏସକୁ ୨୦୦୪ ଜାନୁଆରୀରେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା। ୨୦୦୯ରେ ଏହା ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା। ଯେକୌଣସି ବ୍ୟକ୍ତି ନିଜ ଚାକିରି ଜୀବନରେ ପେନସନ ଖାତାରେ ନିୟମିତ ଯୋଗଦାନ ଦେଇପାରିବେ। ଉପଭୋକ୍ତାମାନେ ନିଜ ଜମା ପାଣ୍ଠିର କିଛି ଅଂଶ ଉଠାଇପାରିବେ। ବଳକା ପାଣ୍ଠିକୁ ସେମାନେ ଅବସର ପରେ ଏକ ନିୟମିତ ଆୟ ସୁନିଶ୍ଚିତ ପାଇଁ ଆନ୍ୟୁଇଟି କ୍ରୟ ଲାଗି ବ୍ୟବହାର କରିପାରିବେ। ୧୮ରୁ ୭୦ ବର୍ଷ ବୟସର ଯେକୌଣସି ଭାରତୀୟ ଏନପିଏସରେ ସାମିଲ ହୋଇପାରିବେ। ଏଥିପାଇଁ କେୱାଇସି ନିୟମ ପାଳନ କରିବାକୁ ପଡ଼ିବ।