ଇଣ୍ଟରନାଶନାଲ ଟୁରିଜିମ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ବ୍ରହ୍ମପୁରର କଣ୍ଢେଇ ଯାତ୍ରା ମନୋନୀତ

  • ବ୍ରହ୍ମପୁର: କଣ୍ଢେଇ ଯାତ୍ରା ପ୍ରତିବର୍ଷ ଆଷାଢ଼ ମାସର ପୂଣ୍ଣର୍ମୀ ଦିନ ବ୍ରହ୍ମପୁର ସହରର ବଡବଜାର ଖସ୍ପା ସାହିରେ କେଉଁ ଆବାହାମାନ କାଳରୁ ଆୟୋଜିତ କରାଯାଉଛି। ତେବେ ଆଧୁନିକତାର ଚାକଚକ୍ୟ ଭିତରେ ଆଜି କଣ୍ଢେଇ ଯାତ୍ରା ନିଜର ଅସ୍ମିତା ହରେଇ ବସିଛି। ପାରମ୍ପରିକ କଳାକାର ନିଜର କଳାକୁ ଆଉ ସେମିତି ବ୍ୟବସାୟର ରୂପ ଦେବାରେ କେଉଁଠି ନା କେଉଁଠି ପଛରେ ଅଛନ୍ତି। ଆଧୁନିକତା ଭିତରେ ପାରମ୍ପରିକ ମାଟି, ଗୋବର, କାଠ ଏବଂ କାଗଜରେ ଆପିଚି ଅଠାରେ ତିଆରି ବିଭିନ୍ନ ରଙ୍ଗ ବେରଙ୍ଗର କଣ୍ଢେଇର ବାଣିଜ୍ୟ ଏବଂ ବ୍ୟବସାୟ ସହ ସାଂସ୍କୃତିକ ମହାମିଳନର ମୂକ ସାକ୍ଷୀ କଣ୍ଢେଇ ଯାତ୍ରା।
    ବ୍ରହ୍ମପୁର ସହରର ତିନି ଶହ ବର୍ଷର ଏକ ସଂସ୍କୃତି ବିଭବ ସମ୍ପନ୍ନ ସମୃଦ୍ଧ ପରମ୍ପରାକୁ ନେଇ କଣ୍ଢେଇ ଯାତ୍ରା ନାମରେ ପରିକଳ୍ପିତ ଏକ କ୍ଷୁଦ୍ର ଡକୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଥିଲେ ଯୁବ ସିନେ ନିର୍ମାତା ସନ୍ୟାସୀ ମହାରଣା। ଯାହାଙ୍କର ଏକାଧିକ ଚଳଚ୍ଚିତ୍ର ଆଜି ଅନ୍ତର୍ଜାତୀୟସ୍ତରରେ ଅନେକ ପ୍ରଶଂସା ସାଉଁଟିଛି। ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ ଏହି କଣ୍ଢେଇ ଯାତ୍ରା ଡକୁମେଣ୍ଟାରୀ ଫିଲ୍ମ ଆଜି ଇଣ୍ଟରନାସନାଲ ଟୁରିଜିମ ଫିଲ୍ମ ଫେଷ୍ଟିଭାଲର ପ୍ରତିଯୋଗିତାରେ ମନୋନୀତ ହୋଇଛି। ପୁଣି ଥରେ ବ୍ରହ୍ମପୁର ସହର ଏବଂ ଗଞ୍ଜାମ ପାଇଁ ଏକ କୀର୍ତ୍ତିମାନ ସ୍ଥାନିତ କରିବା ଅପେକ୍ଷାରେ ଅଛି। ଫିଲ୍ମ ଫେଷ୍ଟିଭାଲର ପ୍ରମୁଖ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ଭିବାସ ଗଙ୍ଗୋପାଧ୍ୟାୟ ଏବଂ ଭି.ଭି ମହେଶ୍ୱର ରାଓ ପ୍ରମୁଖ କଣ୍ଢେଇ ଯାତ୍ରାର ଡକୁମେଣ୍ଟାରୀ ଫିଲ୍ମର ସଫଳତା କାମନା କରିଛନ୍ତି।
    ତେବେ ହଜିଯାଉଥିବା ପରମ୍ପରାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ସନ୍ୟାସୀ ମହାରଣାଙ୍କୁ ସ୍ଥାନୀୟ ସଂସ୍କୃତି ଗବେଷକ ତ୍ରିପତି ନାୟକ, ଗବେଷକ ତଥା ଐତିହାସିକ ଡା. ଅନନ୍ତରାମ କର କୌଣ୍ଡିନ୍ୟ, ସଂସ୍କୃତି ପ୍ରେମୀ ଗବେଷକ ବ୍ରହ୍ମପୁର ଆକାଶବାଣୀର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଉଦ୍ଘୋଷକ ହୃଷିକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ପ୍ରଖ୍ୟାତ ମୁଖା ଶିଳ୍ପୀ ତ୍ରିନାଥ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ତାଙ୍କୁ ଚିତ୍ରୋତ୍ତୋଳନ ବିଭାଗରେ ଯୁବ ସିନେମାଟୋଗ୍ରାଫର ଟୁଟୁ ପ୍ରଧାନ, ଉଦଘୋଷିକା ଭାବରେ ବି. ଜୋତିର୍ମୟୀ ପାତ୍ର, ସମ୍ପାଦନାରେ ରିପନ ପ୍ରଧାନ ଏବଂ ପୋଷ୍ଟର ଡିଜାଇନ ପରିକଳ୍ପନାରେ ସ୍ମାର୍ଟ ଡିଜିଟାଲର ଟିକିରି ବେହେରା, ଯୁବକବି ରତ୍ନାକର ଶୀୟ, ଚିନ୍ମୟ ରଞ୍ଜନ ମିଶ୍ର, ସିଏଚ.ମନୋଜ କୁମାର ପାତ୍ର, ସଦାନନ୍ଦ ସାହୁ, ଦୟାନନ୍ଦ ସାହୁ ଏବଂ ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।
    ବ୍ରହ୍ମପୁର ସହରର ଲୁପ୍ତପ୍ରାୟ ପରମ୍ପରା ଉପରେ ଆଧାରିତ କଣ୍ଢେଇ ଯାତ୍ରାର ଏଭଳି ଏକ ଡକୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରି ବ୍ରହ୍ମପୁର ସହରର କଳା ସଂସ୍କୃତିକୁ ବିଶ୍ୱଦରବାରରେ ପ୍ରଦର୍ଶିତ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମହାରଣା ମତ ଦେଇଛନ୍ତି। ତେବେ ଭାରତ, ଫ୍ରାନ୍ସ ଏବଂ ସିଙ୍ଗାପୁରର ସହ ଆୟୋଜକତାରେ ଏହି ଇଣ୍ଟରନାସନାଲ ଟୁରିଜିମ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ। ସେପ୍ଟେମ୍ବର ମାସରେ ଏହାର ଫଳାଫଳ ଘୋଷଣା ସହ ଏହି ଚଳଚିତ୍ର ପୁଣି ଥରେ ଗଞ୍ଜାମ ପାଇଁ ଗୌରବ ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି ସିନେ ନିର୍ମାତା।