ଏଣିକି ମହଙ୍ଗା ହେବ ସଂସଦ କ୍ୟାଣ୍ଟିନ ଖାଦ୍ୟ: ସବସିଡି ବନ୍ଦ, ସରକାରଙ୍କ ୮ କୋଟି ବଞ୍ଚିଲା

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ସଂସଦ ଭବନ ପରିସରରେ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନରେ ଖାଦ୍ୟ ମହଙ୍ଗା ହେବ। ଜାନୁଆରୀ ୧୯ରୁ ଉକ୍ତ କ୍ୟାଣ୍ଟିନ ପାଇଁ ଉଦ୍ଦିଷ୍ଟ ସବସିଡିକୁ ବନ୍ଦ କରାଯାଇଥିବାରୁ ସରକାରୀ ରାଜକୋଷର ୮ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଜଣାପଡିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାଣ୍ଟିନ ସବସିଡି ଅର୍ଥକୁ ଲୋକସେବା ସଚିବାଳୟ ବହନ କରିଥାଏ।

ଜାନୁଆରୀ ୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେହିଦିନରୁ ଉତ୍ତର ରେଳବାଇ ପରିବର୍ତ୍ତେ ଆଇଟିଡିସି (ଭାରତୀୟ ପର୍ଯ୍ୟଟନ ବିକାଶ କର୍ପୋରେସନ) ଏହି କ୍ୟାଣ୍ଟିନର ପରିଚାଳନା ଦାୟିତ୍ୱ ହାତକୁ ନେବ ବୋଲି ବିର୍ଲା ଜଣାଇଛନ୍ତି। ବଜେଟ ଅଧିବେଶନରେ ଯୋଗଦେବା ପୂର୍ବରୁ ସବୁ ସାଂସଦ କୋଭିଡ୍ ପରୀକ୍ଷା କରାଇବାକୁ ବିର୍ଲା ଅନୁରୋଧ କରିଛନ୍ତି। ଜାନୁଆରୀ ୨୭ ଓ ୨୮, ଦୁଇଦିନ ଧରି ସଂସଦ ପରିସରରେ ସବୁ ସାଂସଦ ଓ କର୍ମଚାରୀଙ୍କ ଆରଟିପିସିଆର ପରୀକ୍ଷା ପାଇଁଁ ବନ୍ଦୋବସ୍ତ କରାଯାଇଛି।

ଏହି ଅଧିବେଶନରେ ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏବଂ ଲୋକସଭା ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପାଇଁ ପ୍ରତିଦିନ କେବଳ ଗୋଟିଏ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି।