ମେଲାନିଆଙ୍କ ବିଦାୟବାର୍ତ୍ତା

ୱାଶିଂଟନ୍,ଏଜେନ୍ସି: ଜୋ ବାଇଡେନଙ୍କ ଶପଥ ଗ୍ରହଣର ଦିନକ ପୂର୍ବରୁ ଆମେରିକାର ବିଦାୟୀ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନଙ୍କୁ ଅନୁରୋଧ କରି କହିଛନ୍ତି ସେମାନେ ପ୍ରତ୍ୟେକ ବିଷୟରେ ଧୈର୍ଯ୍ୟ ଧରନ୍ତୁ। ହିଂସାକାଣ୍ଡ କୌଣସି ସମସ୍ୟାର ସମାଧାନ ପନ୍ଥା ନୁହେଁ ବୋଲି ସେମାନେ ସର୍ବଦା ମନେରଖନ୍ତୁ।

ମେଲାନିଆ କହିଛନ୍ତି, ପ୍ରତ୍ୟେକ ପରିସ୍ଥିତିରେ ମୁଁ ପ୍ରତ୍ୟେକ ଆମେରିକୀୟଙ୍କୁ ଜଣେ ଜଣେ ଦେଶର ସର୍ବୋତ୍ତମ ରାଷ୍ଟ୍ରଦୂତ ହେବାକୁ ଆଶାପୋଷଣ କରୁଛି। ବିଭେଦରୁ ଊର୍ଦ୍ଧ୍ୱକୁ ଉଠିବା ପାଇଁ ନିବେଦନ କରୁଛି। ଘୃଣା ପରିହାର କରି ଭଲପାଇବା, ହିଂସା ପରିହାର କରି ଶାନ୍ତିକୁ ଆପଣାଇବା ପାଇଁ ସମସ୍ତଙ୍କୁ ନିବେଦନ କରୁଛି।

ଗତ ୬ ତାରିଖରେ କ୍ୟାପିଟଲରେ ଟ୍ରମ୍ପଙ୍କ ସମର୍ଥକମାନେ ଘଟାଇଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ମେଲାନିଆ ଏଭଳି ବାର୍ତ୍ତା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମେଲାନିଆ ଆହୁରି କହିଛନ୍ତି, ହ୍ୱାଇଟ୍ ହାଉସରେ ଗତ ୪ ବର୍ଷର ଅନୁଭୂତି ଅବିସ୍ମରଣୀୟ ହୋଇରହିବ।