ଅହମଦାବାଦ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଛି। ଏଥିପୂର୍ବରୁ ମୋଦୀ ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଟ୍ରଷ୍ଟର କାର୍ଯ୍ୟକାରିଣୀ ବୈଠକରେ ମୋଦୀଙ୍କୁ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ବୋଲି ଟ୍ରଷ୍ଟର ସମ୍ପାଦକ ପି.କେ. ଲାହେରି ସୂଚନା ଦେଇଛନ୍ତି। ଏହି ଦାୟିତ୍ୱ ନେବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ପୂର୍ବରୁ ମୋରାରଜୀ ଦେଶାଇ ୧୯୬୭ରୁ ୧୯୯୫ ପର୍ଯ୍ୟନ୍ତ ଟ୍ରଷ୍ଟ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ସାରିଛନ୍ତି।
ଗତବର୍ଷ ଅକ୍ଟୋବରରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିବା ଫଳରେ ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ସୂଚନାଯୋଗ୍ୟ ସ୍ୱର୍ଗତ ପଟେଲ ୨୦୦୪ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରଷ୍ଟର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ମନ୍ଦିରର ଅନ୍ୟ ଟ୍ରଷ୍ଟି ଭାବେ ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନି, ବର୍ତ୍ତମାନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ୍, ବିଶିଷ୍ଟ ଶିକ୍ଷାବିତ୍ ଜେ.ଡି. ପାର୍ମାର ଓ ଶିଳ୍ପପତି ହର୍ଷବର୍ଦ୍ଧନ ନିଓଟିଆ କାର୍ଯ୍ୟ କରୁଛନ୍ତି।