ପତ୍ନୀଙ୍କ ସହ ବାଧ୍ୟତାମୂଳକଭାବେ ସମ୍ପର୍କ ରଖିବାକୁ ଅନୈତିକ କୁହାଯିବ ନାହିଁ: କୋର୍ଟ

  • ମୁମ୍ବାଇ: ବିବାହ ପରେ ଯଦି ଜଣେ ନିଜ ପତ୍ନୀଙ୍କ ସହ ଜବରଦସ୍ତ ସମ୍ପର୍କ ରଖେ ତେବେ ତାହାକୁ ଅନୈତିକ କୁହାଯିବ ନାହିଁ। ଆଜି ମୁମ୍ବାଇର ଏକ କୋର୍ଟ କିଛି ଏଭଳି ରାୟ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜଣେ ସ୍ୱାମୀ ଅଦାଲତରେ ଯାଚିକା ଦାୟର କରିଥିଲେ ଯେ, ତାଙ୍କ ପତ୍ନୀ ଜବରଦସ୍ତ ସମ୍ପର୍କ ରଖିବାର ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ ଏହି ମାମଲାରେ ଜାମିନ ଆବେଦନ କରିଥିଲେ। ଆଉ ଏହି ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ ସଞ୍ଜୟଶ୍ରୀ ଜେ ଘରାଟେ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ୱାମୀ, ତେଣୁ ସେ କୌଣସି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ। ଏହାସହିତ କୋର୍ଟ ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଜାମିନ ମଧ୍ୟ ଦେଇଛନ୍ତି। ମହିଳାଙ୍କ ଓକିଲଙ୍କ କହିବାନୁସାରେ, ମହିଳାଙ୍କ ବିବାହ ଗତ ବର୍ଷ ନଭେମ୍ବର ୨୨ ରେ ହୋଇଥିଲା ।
    ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ଯେ, ତାଙ୍କ ସ୍ୱାମୀ ଏବଂ ଶାଶୂ ବିବାହ ପରଠାରୁ ତାଙ୍କୁ ହଇରାଣ କରୁଥିଲେ ଏବଂ ଯୌତୁକ ଦାବି କରିଥିଲେ। ଏହା ସହିତ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନାମରେ ଜବରଦସ୍ତ ସମ୍ପର୍କ ରଖିବାର ଅଭିଯୋଗ ମଧ୍ୟ ଆଣିଥିଲେ। ଏହା ପରେ ଅଭିଯୁକ୍ତ ସ୍ୱାମୀ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ପତ୍ନୀ ଜଣଙ୍କ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ ଜାନୁୟାରୀ ୨ ରେ ସ୍ୱାମୀଙ୍କ ସହ ମୁମ୍ବାଇ ନିକଟ ମହାବଳିଶ୍ୱରକୁ ଯାଇଥିଲୁ। ଯେଉଁଠାରେ ତାଙ୍କ ସ୍ୱାମୀ ପୁଣି ଥରେ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ମହିଳାଙ୍କ ଅଭିଯୋଗ କରିଛନ୍ତି ଯେ ଏହା ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କୁ ଦେଖା କରିବାକୁ ଯାଇଥିଲେ। ପରୀକ୍ଷା ପରେ ଡାକ୍ତର କହିଥିଲେ ଯେ, ତାଙ୍କ ଅଣ୍ଟା ତଳଠାରୁ ପକ୍ଷାଘାତ ହୋଇଛି। ଅତିରିକ୍ତ ଦୌରାଜଜ ସଞ୍ଜୟଶ୍ରୀ ଜେ ଘରାଟେ କହିଛନ୍ତି, “ମହିଳା ପକ୍ଷାଘାତ ରୋଗରେ ପୀଡିତ ହେବା ଅତ୍ୟନ୍ତ ଦୁଃଖଦାୟକ। ତଥାପି ମହିଳାଙ୍କ ଅବସ୍ଥା ପାଇଁ ତାଙ୍କ ସ୍ୱାମୀ କିମ୍ବା ପରିବାର ଦାୟୀ ରହିପାରିବେ ନାହିଁ। ମହିଳା ଜଣଙ୍କ ତାଙ୍କ ଆବେଦନକାରୀ (ସ୍ୱାମୀ)ଙ୍କ ଉପରେ ଅଭିଯୋଗ କରିଛନ୍ତି। ତେଣୁ ହାଜତରେ ସ୍ୱାମୀଙ୍କୁ ରଖି ପଚରାଉଚୁରା କରିବାର ଆବଶ୍ୟକତା ନାହିଁ।