ବଲାଙ୍ଗିରରେ ‘ନିତିଦିନ’ର ଉଚ୍ଚସ୍ତରୀୟ କମିଟି

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ‘ନିତିଦିନ’ ଖବରକାଗଜର ପ୍ରକାଶକ ତ୍ରିଲୋଚନ ମହାପାତ୍ରଙ୍କ ନେତୃତ୍ୱରେ ସର୍କୁଲେସନ ମ୍ୟାନେଜର ରଞ୍ଜିତ ପଟ୍ଟନାୟକ ଓ ଜୋନାଲ ମ୍ୟାନେଜର ପ୍ରଦିପ୍ତ ବିଶ୍ୱାଳଙ୍କ ଏକ ଉଚ୍ଚସ୍ତରୀୟ କମିଟି ଆଜି ବଲାଙ୍ଗିର ପହଞ୍ଚିଛନ୍ତି । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ବ୍ଲକସ୍ତରୀୟ ପ୍ରତିନିଧି ଓ ବିତରକଙ୍କୁ ନେଇ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସଭା ଅନୁଷ୍ଠିତ ହାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଖବରକାଗଜ କିପରି ଅଞ୍ଚଳର ପ୍ରତ୍ୟେକ ପାଠକଙ୍କ ପାଖକୁ ପହଞ୍ଚିବ ଏବଂ ଗଣତନ୍ତ୍ରର ରକ୍ଷା କରିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି । ‘ନିତିଦିନ’ ଖବରକାଗଜ ଜିଲ୍ଲାରେ କିପରି ନିଜର ପୁରୁଣା ଗୌରବ ଫେରିପାଇବ ଓ ଉନ୍ନତ ଧରଣର ଖବର ମାଧ୍ୟମରେ ପାଠକଙ୍କ ପ୍ରଥମ ପସନ୍ଦ ହୋଇପାରିବ ସେ ଉପରେ ମଧ୍ୟ ବିଶେଷ ଆଲୋଚନ ହୋଇଥିଲା । ଆଞ୍ଚଳିକ ପ୍ରତିନିଧିମାନେ ନିଜ ସୁବିଧା ଅସୁବିଧା କମିଟିକୁ ଜଣାଇଥିଲେ । କମିଟି ସେସବୁକୁୁ ଗୁରୁତ୍ୱର ସହ ନେଇ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଦେବାଶିଷ ମିଶ୍ର ଓ ପାଟଣାଗଡ଼ ପ୍ରତିନିଧି ସଦାଶିବ ସରାଫ କମିଟିକୁ ପୁଷ୍ପଗୁଚ୍ଛ ଦେଇ ସାମ୍ବାଦିକ ଭବନକୁ ପାଛୋଟି ନେଇଥିଲେ । ପରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଶିଶିରକାନ୍ତ ଶତପଥୀ କମିଟିକୁ ସୌଜନ୍ୟତାମୂଳକ ଭାବେ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ଟିଟିଲାଗଡ଼ ପ୍ରତିନିଧ ପପୁ ପଟେଲ ଓ ସଇଁନ୍ତଳା ପ୍ରତିନିଧି ଅଜିତ ସାହୁ ସମସ୍ତ ଅତିଥିଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।