ଜଟଣୀ,ଏନ୍ଏନ୍ଏସ୍: ଜଟଣୀ ଥାନାର ସ୍ୱତନ୍ତ୍ର ଟିମ୍ ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ୧୦.୭୦ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ମୋବାଇଲ ଫୋନ ଓ ମୋଟରସାଇକେଲ ଜବତ କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ କୁଦିଆରୀ ଛକରେ ଥିବା ହନୁମାନ ମନ୍ଦିର ନିକଟରେ ଅତର୍କିତ ଭାବେ ଚଢ଼ଉ କରିବା ସହିତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପଚରାଉଚୁରା ସମୟରେ ଅଭିଯୁକ୍ତ ଜଣକ ଏହି ବ୍ରାଉନସୁଗାରକୁ ଜଳେଶ୍ୱରରୁ ଆଣି ଜଟଣୀ ଅଞ୍ଚଳରେ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା କଥା ସ୍ୱୀକାର କରିଥିଲେ । ତେବେ ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।