କେନ୍ଦ୍ର-ରାଜ୍ୟ ବିବାଦର ସମାଧାନ କରିବ ନୀତି ଆୟୋଗ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପାରିବ ନୀତି ଆୟୋଗ । କେନ୍ଦ୍ରର ବିଭିନ୍ନ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିବାଦକୁ ନୀତି ଆୟୋଗ ସମାଧାନ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଚାଲିଥିବା ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ”ଆମେ ସମସ୍ତେ ଏହା ଗ୍ରହଣ କରିବା ଯେ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ରାଜନୈତିକ ବାଦ ବିବାଦ ଲାଗିରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲାଗୁ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ନୀତି ଆୟୋଗ ଏକ ଲୋକପାଳ ଭାବେ କାର୍ଯ୍ୟ କରିପାରିବ ।” କେନ୍ଦ୍ରୀୟ ଯୋଜନାର ଶୀଘ୍ର ପ୍ରଣୟନ କ୍ଷେତ୍ରରେ ନୀତି ଆୟୋଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ।

ସେହିପରି ନୀତି ଆୟୋଗ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କରୁଛନ୍ତି । ତେଣୁ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଅଧିକ ପାଣ୍ଠି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ବାବଦରେ ମଧ୍ୟ ମତ ପ୍ରକାଶ କରିଛନ୍ତି । ଓଡିଶାର ଅନେକ କୃଷକ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ସହାୟତା ପାଇବାରେ ବଞ୍ଚିତ ହୋଇଛନ୍ତି । ନୀତି ଆୟୋଗ ଏ ଦିଗରେ ଧ୍ୟାନ ଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଟେଲିକମ, ବ୍ୟାଙ୍କିଂ ଓ ରେଲୱେ କ୍ଷେତ୍ରରେ ଅଧିକ ଅନୁଦାନ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନ କଲ୍ଚୁରାଲ ସେଣ୍ଟରରେ ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକ ବସିଛି । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗଙ୍କ ଦ୍ବାରା ଆମନ୍ତ୍ରିତ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।