ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲାରେ ଆଜି ୪୬ ତମ ଏସପି ଭାବେ ଓଡିଶା ପୁଲିସ ପ୍ରଶାସନିକ ସେବାର ୧୯୮୬ ବ୍ୟାଚର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଏସପି ରାଜକିଶୋର ପାଇକରାୟ ଅବସର ନେବା ପରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ କାର୍ଯ୍ୟ ଭାର ଗ୍ରହଣ କରିଥିଲେ। ଆଜି ଏସପି ଶ୍ରୀ ରଥ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଜିଲ୍ଲା ପୁଲିସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ପରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପରେ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏସପି ଶ୍ରୀ ରଥଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ରଥ ଜିଲ୍ଲାରେ ଆଇନ ଶୃଙ୍ଖଳା ସହ ସମାଜର ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ତାଙ୍କ ପ୍ରାଥମିକତା ରହିବ ବୋଲି ପ୍ରକାଶ କରିଥିଲେ। କମିସନରେଟ ପୁଲିସରେ ଦୀର୍ଘ ବର୍ଷ ଅବସ୍ଥାପିତ ଥିବା ଶ୍ରୀ ରଥ ପୂର୍ବରୁ କେନ୍ଦୁଝର, ସୁନ୍ଦରଗଡ଼ ଭଳି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ନିଜ କାର୍ଯ୍ୟ ଦକ୍ଷତାର ଛାପ ଛାଡିଛନ୍ତି l ଏହି ସାକ୍ଷାତ ଆଲୋଚନା ସମୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲା ସାମ୍ବାଦିକ ସଙ୍ଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।