ଭବାନୀପାଟଣା,ଏନ୍ଏନ୍ଏସ୍: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭବାନୀପାଟଣାରେ ଏକ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଆଉ ବର୍ତ୍ତମାନର ସ୍ଥିତିକୁ ଦେଖି ଓଡ଼ିଶା ସବୁଠୁ ପଛୁଆ ରାଜ୍ୟ ଭାବେ ପରିଚିତ ହେଉଛି । ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ସରକାର ରାସନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି । ଏହାର ତଦନ୍ତ କରିବାକୁ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି । ତଦନ୍ତ କରାଯାଇ ଯିଏ ଦୋଷୀ ତାକୁ ଜେଲ ପଠାଯିବ । ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାର ସୁଫଳ ମିଳିଛି । ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି ।
ଓଡ଼ିଶା ଲୋକଙ୍କୁ ଆୁଷ୍ମାନ ଯୋଜନାରୁ ବଞ୍ଚିତ କରାଯାଉଛି ।ଜେପି ନଡ୍ଡା ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ଚଲାଉଛି କିଏ ଓ ନେତା କିଏ ସେସମ୍ପର୍କରେ କାହାକୁ ଜଣାନାହିଁ । ଓଡ଼ିଶାକୁ ନେତା ନା ଅଫିସର ଚଲାଉଛନ୍ତି । ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ନବୀନ ଅଧିକାରୀଙ୍କ ହାତରେ ସବୁ ଶାସନ ଟେକି ଦେଇଛନ୍ତି । କିଏ ଶାସନ ଚଲାଉଛି ତାହା ଆପଣ ବି ଜାଣିଛନ୍ତି , ମୁଁ ବି ଜାଣିଛି । ଆପଣ ଭୋଟ ଜଣକୁ ଦେବେ ହେଲେ ଶାସନ ଆଉ ଜଣେ କରିବ । ଏଭଳି ସରକାର ଆମର ଦରକାର କି ଆପଣମାନେ କୁହନ୍ତୁ? ଆମେ ଓଡ଼ିଶାରେ ବି ସରକାର ଗଢ଼ିବାର ସମୟ ଆସିଯାଇଛି । ଓଡ଼ିଶାର ଶାସନ ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଛି । ମୁଣ୍ଡପିଛା ଆୟରେ ଓଡ଼ିଶା ପଛରେ କିନ୍ତୁ ମହିଳା ଉତ୍ପୀଡ଼ନରେ ଆଗରେ । ଏଠାରେ ୫୦ ପ୍ରତିଶତ ପିସି କାରବାର ଚାଲିଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଲାଭ ଉଠାଇବାକୁ ଚେଷ୍ଟା କରାଯାଉଛି । ନାଁ ବଦଳାଇ ଏଠାରେ ଯୋଜନାକୁ ହଡ଼ପ କରାଯାଉଛି । ନାଁ ବଦଳେଇଲେ କ’ଣ ହେବ ମୋଦୀ ତ ହୃଦୟରେ ଅଛନ୍ତି ।